ଆପତ୍ତିଜନକ ପୋଷ୍ଟ: ୬୮ ଆକାଉଣ୍ଟ ହଟାଇବା ପାଇଁ ଟୁଇଟରକୁ କହିଲା ତ୍ରିପୁରା ପୁଲିସ

ଅଗରତାଲା,ଏଜେନ୍ସି: ତ୍ରିପୁରାରେ ନିକଟରେ ଘଟିଥିଲା ସାମ୍ପ୍ରଦାୟିକ ସଂଘର୍ଷ। ଯାହାକୁ ନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟୁଇଟରରେ କିଛି ୟୁଜର୍ସ ଆପତ୍ତିଜନକ ପୋଷ୍ଟ କରିବାରେ ଲାଗିଛନ୍ତି। ଏହା ବିରୋଧରେ ତ୍ରିପୁରା ପୁଲିସ ନେଇଛି କଡା ପଦକ୍ଷେପ। ପ୍ରାୟ ୬୮ଟି ଆକାଉଣ୍ଟକୁ ହଟାଇବା ପାଇଁ ତ୍ରିପୁରା ପୁଲିସ ଟୁଇଟରକୁ କହିଥିବା ସୂଚନା ମିଳିଛି।

ଆକାଉଣ୍ଟଗୁଡିକୁ ହଟାଇବା ପାଇଁ ପଶ୍ଚିମ ଅଗରତାଲା ପୁଲିସ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଟୁଇଟର ଅଧିକାରୀଙ୍କୁ ନଭେମ୍ବର ୩ ତାରିଖରେ ଏକ ଚିଠି ପଠାଇଛି। ଏହି ଚିଠିରେ ଉଲ୍ଲେଖ ରହିଛି ଯେ ରାଜ୍ୟର ସାମ୍ପ୍ରଦାୟିକ ସଂଘର୍ଷ ସମ୍ପର୍କରେ କିଛି ୟୁଜର୍ସ ଲଗାତାର ଭାବେ ଖବର ସହିତ କିଛି ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି। ଏଥିଲାଗି ସେ ତାଙ୍କ ପୋଷ୍ଟକୁ ଡିଲିଟ୍‌ କରିବା ପାଇଁ ଚିଠିରେ କହିଥିବା ସୂଚନା ମିଳିଛି। ପୁଲିସ ଅଭିଯୋଗ କରିଛି ଯେ କିଛି ନ୍ୟୁଜ ଆଇଟମ୍ସ ଓ ପୋଷ୍ଟରେ ରାଜ୍ୟର ଦଙ୍ଗା ସମ୍ପର୍କରେ କୁହାଯାଇ ଅନ୍ୟ କୌଣସି ଘଟଣାର ଫଟୋ ସହିତ ଭିଡ଼ିଓ ପୋଷ୍ଟ କରାଯାଉଛି। ଏଭଳି ପୋଷ୍ଟ ସଂଘର୍ଷକୁ ଆହୁରି ଉସକାଉଥିବା ଅଭିଯୋଗ କରିଛି ପୁଲିସ।

ଏହାସହିତ ଚିଠିରେ ଉଲ୍ଲେଖ ରହିଥିବା ୟୁଜର୍ସଙ୍କ ଆଇପି ଠିକଣା ସହିତ ସେମାନେ କେଉଁ ସ୍ଥାନରୁ ଆକାଉଣ୍ଟକୁ ଲଗ୍ ଇନ୍ କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ମାଗିଛି ପୁଲିସ। ସୂଚନା ଥାଉ କି ଗତ ଅକ୍ଟୋବର ୧୯ରୁ ୨୬ ତାରିଖ ମଧ୍ୟରେ କିଛି ଦୁର୍ବୃତ୍ତ ଧାର୍ମିକ ଅନୁଷ୍ଠାନ ସହିତ ଦୋକାନ ବଜାର ଭଙ୍ଗାରୁଜା କରିଥିଲେ। ବାଂଲାଦେଶ ନିକଟବର୍ତ୍ତୀ ଅଞ୍ଚଳରେ ଦୁର୍ଗା ପୂଜା ମଣ୍ଡପ ଭଙ୍ଗାରୁଜା ପରଠାରୁ ତ୍ରିପୁରାରେ ତେଜିଛି ଏହି ସଂଘର୍ଷ।