ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ଆଦିବାସୀ

ସଇଁନ୍ତଳା,ଏନ୍ଏନ୍ଏସ୍: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ଆଦିବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ସ୍ଥାନୀୟ ଡାକବଙ୍ଗଳାଠାରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଆଦିବାସୀମାନେ ବାହାରି ବ୍ଲକ କାର୍ଯ୍ୟାଳୟ ପହଁଚିଥିଲେ। ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ, କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ବିଡିଓ କାର୍ଯ୍ୟାଳୟ ଓ ଥାନା ସମ୍ନାରେ ଲାଗିଥିବା ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୋଡିଂକୁ ମଧ୍ୟ ଅସ୍ତ୍ରଶସ୍ତ୍ରରେ ଫାଡ଼ି ଥିଲେ। ଜିଲ୍ଲା ଆଦିବାସୀ ଓ ସ୍ଥାନୀୟ ଆଦିବାସୀ କଲ୍ୟାଣ ସଂଘର ମିଳିତ ଉଦ୍ୟମରେ ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ। ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚ ଆସନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାରେ ପାତର ଅନ୍ତର ହୋଇଥିବା ଅଭିଯୋଗ ଆଣି ସଇଁନ୍ତଳାର ବହୁ ସଂଖ୍ୟାରେ ଆଦିବାସୀ ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ ବ୍ଲକ କାର୍ଯ୍ୟାଳୟ ଆଗରେ ଶୋଭାଯାତ୍ରା କରିବା ସହ ହାତରେ ପ୍ଲାକାର୍ଡ ଧରି ସେମାନେ ନାରାବାଜି ମଧ୍ୟ କରିଥିଲେ। ତେବେ ଆଗାମୀ ଦିନରେ ରାଜ୍ୟ ସରକାର କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନନେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲାର ୩୧୭ଟି ଗ୍ରାମପଞ୍ଚାୟତରୁ ୭୨ଟିରେ ରୋଟେସନ ଆଧାରରେ ସିଟ୍ ସଂରକ୍ଷଣ ପାଇଁ ଆଦିବାସୀମାନେ ଦାବି କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶକ୍ରମେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇ ଥିବାବେଳେ ଘଟଣାସ୍ଥଳରେ ଟିଟିଲାଗଡ଼ ଏସଡ଼ିପିଓ ସୁରେନ୍ଦ୍ର ନାଥ ଶତପଥୀ, ସ୍ଥାନୀୟ ଥାନାଧିକାରୀ ଅବନୀ ସାହୁଙ୍କ ସମେତ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଆଦିବାସୀ ସଂଘ ସଭାପତି ସନ୍ତୋଷ ପୁଟା, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ, ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ପ୍ରେମାନନ୍ଦ ଭୋଇ, ନାରିନେତ୍ରୀ ସୁରଭି ଭୋଇ, ଓ ଗିରିରାଜ ଭୋଇ ପ୍ରମୁଖ ସାମିଲ ହୋଇଥିଲେ।