ମୋଦୀଙ୍କ ସୁରକ୍ଷାରେ ହୋଇଥିବା ଅବହେଳାକୁ ନେଇ ସଫେଇ ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ହୋଇଥିବା ଅବହେଳାକୁ ନେଇ ପ୍ରେସ କନଫ୍ରେନ୍ସ କରି ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ସଫେଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫେରିକି ଯିବାକୁ ପଡ଼ିଥିବାରୁ ଆମେ ଦୁଃଖିତ। ରାତିରେ ପ୍ରଦର୍ଶନକାରୀଙ୍କୁ ହଟାଇ ଦିଆଯାଇଥିଲା। କିନ୍ତୁ ମୋଦୀଙ୍କ ସୁରକ୍ଷାରେ ହୋଇଥିବା ଅବହେଳା କଥା ଭୁଲ।

ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କୌଣସି ପ୍ରକାର ଆକ୍ରମଣ ହୋଇନାହିଁ। ତାଙ୍କ ସ୍ୱାଗତ ପାଇଁ ମୋତେ ଯିବାର ଥିଲା। ପ୍ରଥମେ ଭଟିଣ୍ଡାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ତାଙ୍କ ସହିତ ଫିରୋଜପୁର ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ମୋତେ ତାଙ୍କ ସହ ବୈଠକ ବି କରିବାର ଥିଲା। ହେଲେ ମୋତେ ରାଲିରେ ଯିବାର ନଥିଲା। ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଅର୍ଥମନ୍ତ୍ରୀଙ୍କୁ ପଠାଇଥିଲି। କିନ୍ତୁ ଏହି ମାମଲାକୁ ନେଇ ଅକାରଣେ ବିଜେପି ନେତା ରାଜନୀତି କରୁଛନ୍ତି। ମୁଁ କୃଷକଙ୍କ ଉପରେ ଲାଠି ଚଲାଇ ପାରିବି ନାହିଁ। ଏଥିରେ ଯଦି ଆଉ କିଛି ରହିଛି ତେବେ ଯାଞ୍ଚ କରାଯିବ।