ଯାତ୍ରା ଓ ପର୍ଯ୍ୟଟନ ପ୍ରତିଦ୍ୱନ୍ଦ୍ୱିତା ଇଣ୍ଡେକ୍ସରେ ଭାରତର ସ୍ଥାନ ୩୪

ବୈଷୟିକସ୍ତରରେ ଯାତ୍ରା ଏବଂ ପର୍ଯ୍ୟଟନକୁ ନେଇ ଭାରତର ସ୍ଥିତି କ୍ରମଶଃ ବଦଳିବାରେ ଲାଗିଛି। ଏହା ଅନ୍ତର୍ଗତ ବିଶ୍ୱ ଆର୍ଥିକ ମଞ୍ଚ (ଡବ୍ଲ୍ୟୁଇଏଫ୍) ତରଫରୁ ବିଭିନ୍ନ ଦେଶକୁ ନେଇ କରାଯାଇଥିବା ଯାତ୍ରା ଏବଂ ପର୍ଯ୍ୟଟନ ପ୍ରତିଯୋଗିତା ଇଣ୍ଡେକ୍ସ (ଟିଟିସିଆଇ)ରେ ଗତବର୍ଷ ଅପେକ୍ଷା ଭାରତର ତାଲିକାରେ ସାମାନ୍ୟ ସୁଧାର ପରରିଲକ୍ଷିତ ହୋଇଛି। ୨୦୧୮ରେ ଭାରତ ଏହି ତାଲିକାରେ ୬ଟି ଦେଶକୁ ପାର୍ କରି ୩୪ତମ ସ୍ଥାନରେ ପହଞ୍ଚିଛି। ୨୦୧୭ରେ ଭାରତ ଡବ୍ଲ୍ୟୁଇଏଫର ଏହି ତାଲିକାର ୪୦ତମ ସ୍ଥାନରେ ରହିଥିଲା। ବିଶ୍ୱ ଆର୍ଥିକ ମଞ୍ଚ(ଡବ୍ଲ୍ୟୁଇଏଫ୍) ତରଫରୁ ଜାରି କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ସାମନାକୁ ଆସିଛି।

ଡବ୍ଲ୍ୟୁଇଏଫ୍ ରିପୋର୍ଟରେ କୁହାଯାଇଛି ଯେ, ଦକ୍ଷିଣ ଏସିଆରେ ଯାତ୍ରା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଧିକାଂଶ ଜିଡିପି କ୍ଷମତା ରଖିଥିବା ଭାରତ ଏହି ଉପମହାଦ୍ୱୀପରେ ସବୁଠାରୁ ପ୍ରତିଦ୍ୱନ୍ଦ୍ୱିତାତ୍ମକ ଯାତ୍ରା ଓ ପର୍ଯ୍ୟଟନ ଅର୍ଥବ୍ୟବସ୍ଥା ରୂପେ ଉଭା ହୋଇଛି। ଭାରତର ର୍ୟାଙ୍କିଙ୍ଗ୍ରେ ସାମାନ୍ୟତମ ସୁଧାର ଦେଖିବାକୁ ମିଳିଥିବାବେଳେ ୨୦୧୭ ଅପେକ୍ଷା ୨୦୧୮ରେ ୬ଟି ସ୍ଥାନକୁ ଅତିକ୍ରମ କରି ଭାରତ ୩୪ତମ ସ୍ଥାନରେ ପହଞ୍ଚିବାରେ ସକ୍ଷମ ହୋଇଛି।

ରିପୋର୍ଟ ମୁତାବକ; ଚୀନ୍, ମେକ୍ସିକୋ, ମାଲେସିଆ, ଥାଇଲାଣ୍ଡ୍, ବ୍ରାଜିଲ୍ ଏବଂ ଭାରତ ଉଚ୍ଚଆମଦାନୀଯୁକ୍ତ ଅର୍ଥବ୍ୟବସ୍ଥା ହୋଇନଥିଲେ ମଧ୍ୟ ସାଂସ୍କୃତିକ ସାଧନ ଓ ବ୍ୟବସାୟିକ ଯାତ୍ରା କ୍ଷେତ୍ରରେ ଶୀର୍ଷ ୩୫ଟି ଦେଶ ମଧ୍ୟରେ ସାମିଲ ହୋଇଛନ୍ତି। ଉପକ୍ଷେତ୍ରୀୟ ଦୃଷ୍ଟିକୋଣରୁ ଉନ୍ନତ ଭିତ୍ତିଭୂମି ତଥା ବାତାବରଣ କ୍ଷେତ୍ରରେ ଭାରତ ୩୩ତମ ସ୍ଥାନରେ, ଜମି ଓ ବନ୍ଦର ଭିତ୍ତିଭୂମି କ୍ଷେତ୍ରରେ ୨୮ତମ ସ୍ଥାନରେ, ଅନ୍ତର୍ଜାତୀୟ ସ୍ୱୀକାର୍ଯ୍ୟତାରେ ୫୧ତମ ସ୍ଥାନରେ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ୧୪ ନମ୍ବର ସ୍ଥାନରେ ଏବଂ ସାଂସ୍କୃତିକ ସାଧନ କ୍ଷେତ୍ରରେ ୮ମ ସ୍ଥାନରେ ରହିଛି।

ବୈଷୟିକ ଯାତ୍ରା ଓ ପର୍ଯ୍ୟଟନ ପ୍ରତିଦ୍ୱନ୍ଦ୍ୱିତା ଇଣ୍ଡେକ୍ସରେ ମୋଟ ୧୪୦ଟି ଦେଶ ସ୍ଥାନ ପାଇଛନ୍ତି। ଡବ୍ଲ୍ୟୁଇଏଫ୍ର ଏହି ଇଣ୍ଡେକ୍ସରେ ସ୍ପେନ୍ ଶୀର୍ଷ ସ୍ଥାନରେ ରହିଥିବାବେଳେ ଏହାପରେ ଫ୍ରାନ୍ସ, ଜର୍ମାନୀ, ଜାପାନ ଓ ଆମେରିକା ଯଥାକ୍ରମେ ଶୀର୍ଷ ୫ଟି ଦେଶ ମଧ୍ୟରେ ସ୍ଥାନିତ ହୋଇଛନ୍ତି। ସେହିପରି ଏହି ତାଲିକାରେ ବ୍ରିଟେନ୍ର ସ୍ଥାନ ପଞ୍ଚମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଖସିଆସିଛି। ଏହାପରେ ଅଷ୍ଟ୍ରେଲିଆ, ଇଟାଲି, କାନାଡା ଏବଂ ସ୍ୱିଜରଲାଣ୍ଡ୍ ଯଥାକ୍ରମେ ସପ୍ତମରୁ ଦଶମ ସ୍ଥାନରେ ରହିଛନ୍ତି। ଡବ୍ଲ୍ୟୁଇଏଫ୍ର ଏହି ଇଣ୍ଡେକ୍ସରେ ଫିଲିପାଇନ୍ସ ୭୫ତମ ସ୍ଥାନ ଅଧିକାର କରିଥିବାବେଳେ ପାକିସ୍ତାନକୁ ୧୨୧ତମ ସ୍ଥାନରେ ସ୍ଥାନିତ କରାଯାଇଥିବା ସୂଚିବଦ୍ଧ କରାଯାଇଛି।