ଭୂଷଣ ପାୱାରର ନିଲାମ ପାଇଁ ଜେଏସଡବ୍ଲ୍ୟୁକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଋଣବୋଝରେ ଦେବାଳିଆ ହୋଇପଡ଼ିଥିବା ଭୂଷଣ ପାୱାର୍ ଆଣ୍ଡ୍ ଷ୍ଟିଲ୍ ଲିମିଟେଡ୍ (ବିପିଏସଏଲ)କୁ ନିଲାମ କରାଯିବ। ଏଥିପାଇଁ ବିଭିନ୍ନ କମ୍ପାନୀଙ୍କ ପକ୍ଷରୁ ବିଡିଂ ପ୍ରକ୍ରିୟାରେ ଆବେଦନ କରାଯାଇଥିଲାବେଳେ ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ (ଏନସିଏଲଟି) ଜେଏସଡବ୍ଲ୍ୟୁ ଷ୍ଟିଲ୍ ପକ୍ଷରୁ କରାଯାଇଥିବା ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛି।

ଏହି ନିଲାମ ପ୍ରକ୍ରିୟାରେ ଟାଟା ଷ୍ଟିଲ୍ ଏବଂ ଲିବର୍ଟି ହାଉସ୍ ଗ୍ରୁପ ପକ୍ଷରୁ ଆବେଦନ କରାଯାଇଥିଲେ ହେଁ ଏନସିଏଲଟି ଜେଏସଡବ୍ଲ୍ୟୁ ସପକ୍ଷରେ ଯାଇଛନ୍ତି। କାରଣ ଅନ୍ୟାନ୍ୟ କମ୍ପାନୀ ଠାରୁ ଜେଏସଡବ୍ଲ୍ୟୁର ବିଡିଂ ମୂଲ୍ୟ ଅଧିକ ରହିଥିବା ଏନସିଏଲଟି କର୍ତ୍ତୃପକ୍ଷ କହିଛନ୍ତି। ପ୍ରାୟ ୨୭୦ କୋଟି ଡଲାର ବା ୧୯,୭୦୦ କୋଟି ଟଙ୍କାରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ ଭୂଷଣ ପାୱାର୍ ଆଣ୍ଡ୍ ଷ୍ଟିଲ୍ କମ୍ପାନୀକୁ ଅଧିଗ୍ରହଣ କରିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ସଜ୍ଜନ୍ ଜିନ୍ଦଲଙ୍କ ନେତୃତ୍ୱରେ ପରିଚାଳିତ ଜେଏସଡବ୍ଲ୍ୟୁର ମୁମ୍ବାଇସ୍ଥିତ ପ୍ରକଳ୍ପ ପରି ପୂର୍ବ ଭାରତରେ ମଧ୍ୟ ଏହାର ଏକ ବୃହତ ପ୍ରକଳ୍ପ କାର୍ଯ୍ୟ କରୁଛି। ଭାରତର ୨ୟ ବୃହତ ଷ୍ଟିଲ୍ ଉଦ୍ୟୋଗ ଭାବେ ଜେଏସଡବ୍ଲ୍ୟୁ ଷ୍ଟିଲକୁ ଏହି ସୁଯୋଗ ମିଳିଛି।

ନ୍ୟାୟାଧୀଶ ଏମଏମ କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଏନସିଏଲଟିର ଦୁଇଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏଥିସହିତ ଦେବାଳିଆ ଅବଧିରେ ବିପିଏସଏଲ ଆୟ କରିଥିବା ଲାଭ ରାଶିକୁ ଭୂଷଣ ପାୱାରର ଋଣଦାତାଙ୍କ ମଧ୍ୟରେ ବଣ୍ଟନ କରିବା ଲାଗି ଟ୍ରିବ୍ୟୁନାଲ୍ କହିଛନ୍ତି।