୪୦ ପ୍ରତିଶତ କମିବ ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରା ଭଡା !

ନୂଆଦିଲ୍ଲୀ,ଏଜେନ୍ସି: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଶସ୍ତା ହୋଇପାରେ ବିମାନ ଯାତ୍ରା। ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରା ଭଡା ୪୦ ପ୍ରତିଶତ କମିପାରେ। ଆସନ୍ତା ୨୭ ତାରିଖରୁ ଦେଶର ଆନ୍ତର୍ଜାତିକ ବିମାନ ଉଡାଣ ସ୍ବାଭାବିକ ହେବ। ଯାହାଫଳରେ ବିମାନ ଉଡାଣ ସଂଖ୍ୟା ବୃଦ୍ଧି ପାଇବ। ଏହାଦ୍ବାରା ବିମାନ ଟିକେଟ୍ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଛି। ଇଣ୍ଡଷ୍ଟ୍ରୀ ଅଧିକାରୀମାନେ ଏହା କହିଛନ୍ତି।

୨୦୨୦ରେ କୋଭିଡ ମହାମାରୀ ବ୍ୟାପିବା ପରଠୁ ଆନ୍ତର୍ଜାତିକ ଉଡାଣ ବନ୍ଦ ରହିଛି। କେବଳ ଏୟାର ବବଲ୍ ବୁଝାମଣା ଅଧୀନରେ ଅଳ୍ପ ସଂଖ୍ୟକ ବିମାନ ଉଡାଣକୁ ଅନୁମତି ଦିଆଯାଇଛି। ସୀମିତ ସଂଖ୍ୟା ବିମାନ ଚଳାଚଳ ଯୋଗୁଁ ଭଡା ମଧ୍ୟ ବୃଦ୍ଧି ପାଇଥିଲା। ଏବେ କୋରୋନା ସ୍ଥିତିରେ ସୁଧାର ଆସିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ମାସ ୨୭ରୁ ଆନ୍ତର୍ଜାତିକ ଉଡାଣ ସ୍ବାଭାବିକ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ବିମାନ ସଂଖ୍ୟାରେ ବୃଦ୍ଧି ଘଟାଇପାରେ।

ଆସନ୍ତା କିଛି ମାସ ମଧ୍ୟରେ ଲୁଫଥାନସା, ଇଣ୍ଡିଗୋ, ସ୍ବିସ୍ ଓ ସିଙ୍ଗାପୁର ଏୟାରଲାଇନ୍ସ ବିମାନ ଉଡାଣ ସଂଖ୍ୟା ବଢାଇବାକୁ ଯୋଜନା ରଖିଛନ୍ତି। ସିଙ୍ଗାପୁର ଏୟାରଲାଇନ୍ସ ଏହାର ବିମାନ ଉଡାଣ ସଂଖ୍ୟାକୁ ୧୭ ପ୍ରତିଶତ ବୃଦ୍ଧି କରିପାରେ। ସେହିପରି ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ପାଖାପାଖି ୧୦୦ଟି ବିଶ୍ବସ୍ତରୀୟ ବିମାନ ଚଳାଚଳ ଆରମ୍ଭ କରିବ ବୋଲି ଆଶା କରାଯାଉଛି।