ଫୋକସରେ ଗୁଜୁରାଟ ନିର୍ବାଚନ, ଆଜିଠୁ ଦୁଇ ଦିନିଆ ଗସ୍ତରେ ଯିବେ ମୋଦୀ

ଅହମ୍ମଦାବାଦ,ଏଜେନ୍ସି: କାମ ଦେଇଛି ମୋଦିଙ୍କ ମ୍ୟାଜିକ୍। ୫ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି ବିପୁଳ ସଫଳତା। ଗେରୁଆମୟ ହୋଇଛି ଉତ୍ତରପ୍ରଦେଶ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡ। ବିଜେପିର ଏହି ଐତିହାସିକ ବିଜୟ ପରେ ଏବେ ମୋଦୀଙ୍କ ଫୋକସରେ ଗୁଜୁରାଟ ନିର୍ବାଚନ। ଆସନ୍ତା ଡିସେମ୍ବରରେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଉପରେ ନିଜ ସମସ୍ତ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୋଦୀ ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ।

ଆଜି ଗୁଜୁରାଟରେ ମୋଦିଙ୍କ କାର୍ଯ୍ୟକ୍ରମ:

ମୋଦୀ ମାର୍ଚ୍ଚ ୧୧(ଆଜି) ଓ ୧୨ ତାରିଖରେ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିବେ। ଆଜି ଦିନ ୧୦ଟା ସମୟରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ରାଜ୍ୟର ତୁଙ୍ଗ ବିଜେପି ନେତାମାନେ ମୋଦୀଙ୍କୁ ସ୍ବାଗତ କରିବେ। ଏହାପରେ ୧୦ଟା ୧୫ ସମୟରେ ଏୟାରପୋର୍ଟ ଠାରୁ କୋବା ସ୍ଥିତ ବିଜେପିର ରାଜ୍ୟ କାର୍ଯ୍ୟାଳୟ ଯାଏଁ ପ୍ରଧାନମନ୍ତ୍ରୀ ଏକ ବିଶାଳ ରୋଡ୍ ସୋ’ କରିବେ। ଏହି ଏକ ଘଣ୍ଟାର ରୋଡ୍ ସୋ’ ମଧ୍ୟରେ ବିଭିନ୍ନ ଗୁଜୁରାଟ ଦଳର ପ୍ରତିନିଧିମାନେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବେ। ରୋଡ୍ ସୋ’ ମଧ୍ୟରେ ବିମାନ ବନ୍ଦରରୁ କୋବା ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ଚଳାଚଳ ନିଶେଦ୍ଧ କରାଯିବ।

ମୋଦିଙ୍କ ଏହି ମେଗା ରାଲିରେ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ସାମିଲ ହେବା ନେଇ ଆଶା କାରଯାଉଛି। ଏନେଇ ଗୁଜୁରାଟ ପୋଲିସ ଏବଂ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଉଛି। ଗାନ୍ଧୀନଗରରୁ ଅହମ୍ମଦାବାଦ ରାଜପଥ ମଧ୍ୟରେ ପୋଲିସ ପକ୍ଷରୁ କ୍ୟାମ୍ପ ତିଆରି ହୋଇଛି। ବଡ ବଡ ନେତା ଏବଂ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ପ୍ରତିଟି କାର୍ଯ୍ୟକ୍ରମ ସ୍ଥଳକୁ ଅନୁଧ୍ୟାନ କରୁଛନ୍ତି।

ମୋଦିଙ୍କ କାର୍ଯ୍ୟକ୍ରମ:

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ରାଜଭବନ ଯିବେ। ସେଠାରୁ ଅପରାହ୍ନ ୪ଟା ସମୟରେ ସେ ଅହମ୍ମଦାବାଦର GMDC ପଡିଆରେ ଏକ ପଞ୍ଚାୟତ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ଗୁଜୁରାଟର ବିଭିନ୍ନ ସ୍ଥାନରୁ ପଞ୍ଚାୟତ ସଦସ୍ୟଙ୍କୁ ଏକତ୍ରିତ କରିବ। ପ୍ରାୟ ୧ ଲକ୍ଷ ୪୦ ହଜାର ସଦସ୍ୟଙ୍କ ସମେତ ଗୁଜୁରାଟ ବିଜେପିର ବିଭିନ୍ନ ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗ ଦେବେ। ଏହାପରେ ୬ଟା ସମୟରେ ପୁଣି ମୋଦି ରାଜଭବନ ପ୍ରତ୍ୟାବର୍ତ୍ତନ କରି ସେଠାରେ ରାତ୍ରିଯାପନ କରିବେ।