ଦେବଗଡ଼,ଏନ୍ଏନ୍ଏସ୍ : ଆଦର୍ଶ ଥାନା ପରିସରରେ ଆଜି କିନ୍ନରଙ୍କ ଅଧିକାର ସୁରକ୍ଷା ଆଇନ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଭ୍ୟର୍ଥନା କକ୍ଷରେ ଆୟୋଜିତ ଏହି କର୍ମଶାଳାକୁ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ଉପସ୍ଥିତ ରହି ସମ୍ବିଧାନରେ କିନ୍ନରଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କିନ୍ନରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଉପସ୍ଥିତ କିନ୍ନରଙ୍କୁ ସଚେତନ କରାଯାଇଥିଲା । ଜିଲ୍ଲାରେ ଥିବା କିନ୍ନରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ନେଇ ଜିଲ୍ଲା ପୁଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ଥିବାବେଳେ ଖୁବଶୀଘ୍ର ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଥାନାଧିକାରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ । ଜିଲ୍ଲା ପୁଲିସ ପକ୍ଷରୁ କିନ୍ନରଙ୍କ ସାମାଜିକ, ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ସାମ୍ବିଧାନିକ ଅଧିକାର ପ୍ରତି ସଚେତନତା କାର୍ଯ୍ୟକ୍ରମକୁ ଉପସ୍ଥିତ କିନ୍ନରଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।