ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ରାଜ୍ୟ ସରକାର(ଓସଡମା)ଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ସୁରକ୍ଷା ସମ୍ବନ୍ଧୀୟ ତାଲିମ ଶିବିର ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ଛାତ୍ର କିମ୍ବା ଛାତ୍ରୀ ନିଜ ଘରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଏବଂ ବିଦ୍ୟାଳୟରୁ ଘରକୁ ପହଞ୍ଚିବା ପର୍ଯ୍ୟନ୍ତ ଯାହାବି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତା’ର ପ୍ରତିକାର ଓ ସଫଳ ମୁକାବିଲା କିପରି ଭାବରେ କରାଯାଇ ପାରିବ ତାହା ଜିଲ୍ଲାପାଳ ଡା. ମିଶ୍ର ଉପସ୍ଥିତ ଥିବା ସମସ୍ତ ଅଧିକାରୀ ସହିତ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବୁଝାଇଥିଲେ । ନିଜେ ସଚେତନ ରହି ଅନ୍ୟଙ୍କୁ ସଚେତନ କଲେ ହିଁ ପ୍ରାକୃତିକ ବିପର୍ଯ୍ୟୟରୁ ଆମେ ସୁରକ୍ଷିତ ରହିପାରିବା । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ ନିୟମିତ ଭାବେ ସଚେତନତା ସୃଷ୍ଟି କରି ଅଭ୍ୟାସ କରିବା ଦ୍ୱାରା ଓଡ଼ିଶା ବିପର୍ଯ୍ୟୟ ମୁକାବିଲାରେ ସଫଳ ହୋଇ ସାରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିପାରିଛି ବୋଲି ଜିଲ୍ଲାପାଳ ଡା. ମିଶ୍ର ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଅଧିକରୁ ଅଧିକ ବିପର୍ଯ୍ୟୟ ପରିଚାଳନା ଓ ତା’ର ସଫଳ ମୁକାବିଲା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ହିଁ ଆଜିର ମୂଳ ମନ୍ତ୍ର ଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ (ଓସଡମା) ତରଫରୁ ଜିଲ୍ଲାର ସରକାରୀ ମ୍ୟୁନିସିପାଲିଟି ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହୀର୍ଲି, ସରକାରୀ ଉଚ୍ଚ ବିଦ୍ୟାଳୟ ସିରିସି, ସରକାରୀ ଉଚ୍ଚ ବିଦ୍ୟାଳୟ ଚଢ଼େଇଗୁଡ଼ା, ଏସଏସଡି ଉଚ୍ଚ ବିଦ୍ୟାଳୟ(କନ୍ୟାଶ୍ରମ) ଡାବୁଗାଁକୁ ମନୋନୀତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ, ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପି ମନସ୍ମିତା, ଜରୁରୀକାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ମୀନା ବାଗ, ରାଜେନ୍ଦ୍ର ମହାପାତ୍ର, ରାମକୃଷ୍ଣ ପ୍ରଧାନୀ, ପ୍ରଫୁଲ୍ଲ ରାଉତ, ଆରତି ବିଶୋଇ, ସମଗ୍ର ଶିକ୍ଷା ପ୍ଲାନିଂ ସଂଯୋଜକ ଡା. ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ, ଅରୁଣ କୁମାର ବେହେରା, ତ୍ରିପତି ବାଲାଜୀ ସାହୁ, ମବିନା ସୁଲତାନ, ନୀଳକଣ୍ଠ ରାଜୁ ଓ ସନ୍ଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।