ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଜିଲ୍ଲା ନାଗରିକ କମିଟି ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଏହାର ତୁରନ୍ତ ସମାଧାନ ପାଇଁ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲାର ବହୁପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳପଥ ପାଇଁ ଦେବଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରାଯାଇଥିଲା । ଏହି ରେଳ ପ୍ରକଳ୍ପ ପାଇଁ ଜିଲ୍ଲାର ମୋଟ ୧୯ଟି ଗ୍ରାମ ମଧ୍ୟରୁ ୧୭ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସରିଥିବାବେଳେ ଆସନ୍ତା ମାସ ଶେଷ ସୁଦ୍ଧା ଅବଶିଷ୍ଟ ୨ଟି ଗ୍ରାମର କାର୍ଯ୍ୟ ସମାପ୍ତ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ପ୍ରକାଶ କରିଥିଲେ । ଏହାବ୍ୟତୀତ ପ୍ରଧାନପାଟ ପାଦ ଦେଶରେ ଥିବା ପ୍ରଧାନପାଟେଶ୍ୱରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ, କୋରଡ଼କୋଟ ଜଳପ୍ରପାତରେ ଯାତ୍ରୀ ନିବାସ, ରୋଷେଇ ଗୃହ, ଆଲୋକୀକରଣ, ରାସ୍ତା ନିର୍ମାଣ, ରାଜା ବାସୁଦେବ ହାଇସ୍କୁଲରେ ନିୟମିତ ପ୍ରଧାନଶିକ୍ଷକ ନିଯୁକ୍ତି, ୧୬ ବଖରୀ କଟାର ପୂର୍ବ ପାର୍ଶ୍ୱରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ସ୍କୁଲ ପ୍ରତିଷ୍ଠା ପ୍ରଭୃତି ଦାବି ଗୁଡ଼ିକ ଉପସ୍ଥାପନା କରାଯାଇଥିଲା । ଏହି ସମୟରେ ନାଗରିକ କମିଟି ସଭାପତି ସୁଶିଲ କୁମାର କପରଦାର, ଲକ୍ଷ୍ମଣ କୁମାର ପ୍ରଧାନ, ସୁଧୀର କପରଦାର, ପୌର ଉପନଗରପାଳ ପ୍ରଜିତ କୁମାର ଭୋଜ, କମଲ କିଶୋର ଗୁପ୍ତା, ଶଶାଙ୍କ ଶେଖର ଝାଙ୍କର, ରମଣୀ ରଞ୍ଜନ ଆଚାର୍ଯ୍ୟ, ନରୋତ୍ତମ ସାହୁ, ଶ୍ରବଣ କୁମାର ନାୟକ, ଜନ୍ମାଜୟ ନାୟକ, ଈଶ୍ୱର ପ୍ରସାଦ ଦାଶ ଓ ବାବୁଲେନ୍ଦ୍ର ନାୟକଙ୍କ ସମତେ ବହୁ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।