ନୂଆଦିଲ୍ଲୀ: ଚାଇନିଜ ଆପ ଉପରେ ଭାରତ ସରକାର ଆଉ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦୀ ସରକାର ପୂର୍ବରୁ ଚୀନର ୫୯ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିବାବେଳେ ଏବେ ଆଉ ୪୭ଟି ଆପ୍ ଉପରେ ରୋକ ଲଗାଇଛନ୍ତି। ସୂତ୍ରରୁ ଜଣାପଡ଼ିଛି କି, ଏବେ ବ୍ୟାନ ହୋଇଥିବା ଅଧିକାଂଶ ଆପ ପୂର୍ବରୁ ପ୍ରତିବନ୍ଧକ ଲଗାଯାଇଥିବା ଆପର କ୍ଲୋନ୍ ଅର୍ଥାତ୍ ଡୁପ୍ଲିକେଟ ପରି କାର୍ଯ୍ୟ କରୁଥିଲା।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୁରକ୍ଷା ନିୟମ ଓ ଡାଟା ପ୍ରଟୋକଲ ଉଲ୍ଲଂଘନର ଆରୋପ ଲଗାଇ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି। ଏହିସବୁ ଆପ ଗୋପନୀୟତା ଆଇନ ମଧ୍ୟ ଉଲ୍ଲଂଘନ କରୁଥିଲା। ଏଥିସହିତ ଅଧିକାଂଶ ଚାଇନିଜ ଇଣ୍ଟରନେଟ କମ୍ପାନୀଗୁଡ଼ିକ ଉପରେ ମଧ୍ୟ ପ୍ରତିବନ୍ଧ ଲଗାଯାଇପାରେ। ତେବେ ପ୍ରତିବନ୍ଧକ ଲାଗିଥିବା ଏହି ୪୭ ଆପ ସମ୍ବନ୍ଧରେ ଏବେସୁଦ୍ଧା କୌଣସି ସୂଚନା ମିଳିନଥିଲେ ମଧ୍ୟ ଖୁବଶୀଘ୍ର ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।