ରାୟଗଡ଼ା,ଏନ୍ଏନ୍ଏସ୍: ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା ଯୋଗୁଁ ୫ନଂ ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ଦୀର୍ଘ କିଲୋମିଟର ଧରି ମାଲବାହୀ ଟ୍ରକର ଲମ୍ବା ଲାଇନ ଲାଗି ରହିଛି। ସେହିପରି ମରାମତି ଅଭାବରୁ ରାସ୍ତାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବିରାଟ ଗର୍ତ୍ତ ଟ୍ରାଫିକ୍ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଏହି ପରିପ୍ରେକ୍ଷୀରେ ଆଜି ମୁନିଗୁଡାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ରାସ୍ତାରେ ବହୁ ସମୟ ପର୍ଯ୍ୟନ୍ତ ଫସି ରହିଥିଲା। ଆମ୍ବୁଲାନ୍ସ ଭିତରେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା ନଥିବାରୁ ଡ୍ରାଇଭର ଆମ୍ବୁଲାନ୍ସକୁ ଅଟକାଇ ରଖିଥିଲେ। ବିଳମ୍ବରେ ଟ୍ରକ୍ ଗୁଡ଼ିକ ରାସ୍ତାରୁ ହଟିବା ପରେ ଆମ୍ବୁଲାନ୍ସ ଦେଢ଼ ଘଣ୍ଟା ବିଳମ୍ବରେ ମେଡ଼ିକାଲରେ ପହଞ୍ଚିଥିଲା।
ସୂଚନା ଅନୁସାରେ ମୁନିଗୁଡାର ରାମ ବାଗ(୫୨ ବର୍ଷୀୟ) ଗତ ୫ ଦିନ ହେଲା ଜ୍ୱର, ଉଚ୍ଚ ରକ୍ତଚାପ, କାଶ ଓ ଛାତି ଯନ୍ତ୍ରଣାରେ ପୀଡ଼ିତ ଥିଲେ। ଆଜି ସକାଳେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରୁ ଡାକ୍ତର ଆଶିଷ କୁମାର ପଣ୍ଡା ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାୟଗଡ଼ା ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ତେବେ ଯିବା ବାଟରେ ଚାଟିକଣାରୁ ଥେରୁବାଲି ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସ ଧୀରେ ଧୀରେ ଯାଇ ଥେରୁବାଲିରେ ସାଢ଼େ ୧୨ଟାରେ ପହଞ୍ଚିଥିଲା। କିନ୍ତୁ ଥେରୁବାଲିରୁ ଅମ୍ଲାଭଟ୍ଟା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ୍ ଫସି ରହିଥିଲା।
ସ୍ଥାନୀୟ ଯୁବକମାନେ ଏ ସମ୍ପର୍କରେ ପୁଲିସ୍, ପ୍ରଶାସନକୁ ଖବର ଦେବା ପରେ ପ୍ରାୟ ୩୦ ମିନିଟ ପରେ ଭିଡ଼ ଭିତରୁ ଆମ୍ବୁଲାନ୍ସ ଆଗକୁ ବଢ଼ିଥିଲା। ମଧ୍ୟାହ୍ଣ ୧ଟା ୫୦ ମିନିଟରେ ରାୟଗଡ଼ା ମେଡ଼ିକାଲରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ମୁନିଗୁଡାରୁ ରାୟଗଡ଼ାର ଦୂରତା ୬୦ କିଲୋମିଟର ହୋଇଥିବା ବେଳେ ସକାଳ ସାଢ଼େ ୧୦ଟାରୁ ବାହାରିଥିବା ଆମ୍ବୁଲାନ୍ସ ୩ ଘଣ୍ଟା ୨୦ ମିନିଟ୍ ପରେ ମେଡ଼ିକାଲରେ ପହଞ୍ଚିଥିଲା। ସେହିପରି ରୋଗୀଙ୍କୁ ଛାଡ଼ି ଫେରିବା ସମୟରେ ମଧ୍ୟ ଟ୍ରାଫିକ୍ ସମସ୍ୟା ଲାଗି ରହିଥିବାରୁ ଆମ୍ବୁଲାନ୍ସ କୋଲନରା-ବଡ଼ଖିଲାପଦର-କୁମ୍ଭାରଢ଼ାମୁଣି ହୋଇ ଫେରିଥିବା ସୂଚନା ମିଳିଛି।