ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆସନ୍ତା ୨୫ ତାରିଖରୁ ବାଙ୍ଗାଲୁରୁ ଓ ମୁମ୍ବାଇକୁ ଆରମ୍ଭ ହେବାକୁ ଥିବା ବିମାନ ସେବା ଅନିଶ୍ଚିତତା ଘେରରେ ରହିଛି। ବିମାନ ବନ୍ଦର ଓ ସ୍ପାଇସ ଜେଟ କର୍ତୃପକ୍ଷ ସେବା ଆରମ୍ଭ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରି ସାରିଥିଲେ ହେଁ କୋଭିଡ କଟକଣା କାରଣରୁ ଏହା ସାମନ୍ୟ ବିଳମ୍ବ ହୋଇପାରେ। ତେବେ ସରକାରଙ୍କ ଅନୁମତି ମିଳିଳେ ୨୫ ତାରିଖ ଉଭୟ ସହରକୁ ବିମାନ ସେବା ପ୍ରଦାନ କରାଯିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି। ଯଦି ତାହା ସମ୍ଭବ ନହୁଏ ଆଉ ଗୋଟିଏ ସହରକୁ ବିମାନ ଚଳାଚଳ ପାଇଁ ଅନୁମତି ମିଳେ ତେବେ ୨୫ ତାରିଖରୁ ବାଙ୍ଗାଲୁରୁକୁ ବିମାନ ଚଳାଚଳ ଆରମ୍ଭ କରିବାର ଯୋଜନା ରହିଛି ବୋଲି ଶ୍ରୀ ସେନାପତି କହିଛନ୍ତି।
ସେହିପରି ଆସନ୍ତା ନଭେମ୍ବର ୩୦ ତାରିଖ ମଧ୍ୟରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଇଏଲଏସ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି। ଦିଲ୍ଲୀରୁ ଝାରସୁଗୁଡ଼ାକୁ ଆଇଏଲଏସ ପହଞ୍ଚି ସାରିଛି। ଏହାକୁ ସ୍ଥାପନ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ମାଟି ପକାଇ କାର୍ଯ୍ୟ ଜୋରସୋରରେ ଚାଲିଛି। ଅକ୍ଟୋବର ୩୧ ସୁଦ୍ଧା ଏହା ଶେଷ ହେଲେ ପରବର୍ତ୍ତୀ କାର୍ଯ୍ୟ ନଭେମ୍ବର ୩୦ ସୁଦ୍ଧା ଶେଷ କରି ଆଇଏଲଏସ କାର୍ଯ୍ୟକ୍ଷମ କରିବାର ଯୋଜନା ରହିଛି ବୋଲି ଶ୍ରୀ ସେନାପତି ସୂଚନା ଦେଇଛନ୍ତି। ପୂର୍ବରୁ ଏଠାରେ ଆଇଏଲଏସ ନଥିବାରୁ ପାଣିପାଗ ସାମନ୍ୟ ଖରାପ ହେଲେ ଲୋ ଭିଜିବିଲିଟି କାରଣରୁ ବିମାନ ବାତିଲ ହେଉଥିଲା। ତେବେ ଏଠାରେ ଆଇଏଲଏସ କାର୍ଯ୍ୟକ୍ଷମ ହେବାପରେ ଲୋ ଭିଜିବିଲିଟି ଥିଲେ ସୁଦ୍ଧା ବିମାନ ଉଡ଼ାଣ ଓ ଅବତରଣରେ ପୂର୍ବପରି ସମସ୍ୟା ଦେଖାଦେବ ନାହିିଁ।
ପ୍ରକାଶଯୋଗ୍ୟ ଯେ, ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଗାମୀ ୬ ମାସ ମଧ୍ୟରେ ୫.୫ କୋଟି ଟଙ୍କା ବ୍ୟୟରେ ଆଇଏଲଏସ କାର୍ଯ୍ୟକ୍ଷମ ହେବ ବୋଲି ଭାରତୀୟ ବିମାନ ବନ୍ଦର ଅଧିକାରୀଙ୍କ ପକ୍ଷରୁ ଗତ ୨୦୧୯ ଜୁଲାଇରେ ସୂଚନା ପ୍ରଦାନ କରାଯାଇଥିଲା।