ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଖପ୍ରାଖୋଲ ବ୍ଲକର ହରିଶଙ୍କର ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଏହାର ଆଶାନୂରୂପକ ବିକାଶ ହୋଇପାରି ନାହିଁ । ଅନେକ ସମୟରେ ପର୍ଯ୍ୟଟନ ବିଭାଗ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ତା’ର ମାନ, ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ନେଇ ସ୍ଥାନୀୟ ବଣିକ ସଂଘ କ୍ଷୋଭ ପ୍ରକାଶ କରିଛି । ପ୍ରାୟ ୧୦ମାସ ତଳେ ୫ଟି ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପ୍ରମୁଖ ହରିଶଙ୍କର ଗସ୍ତରେ ଆସି ଏହାର ବିକାଶ ପାଇଁ ସ୍ଥାନୀୟ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ପରେ ଭିତ୍ତିଭୂମି ବିକାଶ ଓ ବଜାର ଗୃହ ନିର୍ମାଣ ପାଇଁ ପ୍ରାୟ ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟେଣ୍ଡର ଶେଷ ହୋଇ କାମ ଆରମ୍ଭ ହୋଇଥିଲା । ହେଲେ ବଜାର ଗୃହର ଆୟତନ ଛୋଟ ଥିବାରୁ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରି ବଲାଙ୍ଗିର ଜିଲ୍ଲାପାଳ, ପାଟଣାଗଡ଼ ଉପଜିଲ୍ଲାପାଳ, ୫ଟି ସଚିବ ଓ ପର୍ଯ୍ୟଟନ ବିଭାଗକୁ ଗତ ୭ ତାରିଖରେ ଅଭିଯୋଗ କରିଥିଲେ । ଏପର୍ଯ୍ୟନ୍ତ ଏହାର କିଛି ସୁଫଳ ନମିଳିବାରୁ ଆଜି ବଣିକ ସଂଘ ତରଫରୁ ସଭାପତି ପଞ୍ଚମ ପ୍ରଧାନ ଓ ସମ୍ପାଦକ ଜନ୍ମଜୟ ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହି ହରିଶଙ୍କରଠାରେ ରାସ୍ତାରୋକ କରିଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ଏନେଇ ଖବର ପାଇ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଓ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ବଣିକ ସଂଘର ଦାବୀକୁ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ଏହି ରାସ୍ତାରୋକରେ ଗନ୍ଧମାର୍ଦ୍ଦନ ଯୁବ ପରିଷଦସର ସଦସ୍ୟ ସୁଶୀଳ ଗୁରୁ, ବିପ୍ର ବିଶି, ଅଭୟ ତ୍ରିପାଠୀ, ଶଶୀ ପୁଜାରୀ, ଟେକେନ୍ଦ୍ର ଜାଲ, ପ୍ରବୀଣ ଅଗ୍ରୱାଲ ଓ ଖପ୍ରାଖୋଲ ବ୍ଲକର ନୂତନ ବ୍ଲକ ଅଧ୍ୟକ୍ଷଙ୍କ ସମେତ ବହୁ ଜନପ୍ରତିନିଧି ସାମିଲ ହୋଇଥିଲେ ।