ସିଂଘୁ ବୋର୍ଡରରୁ ‘ଟ୍ରାକ୍ଟର ରାଲି’ ଆରମ୍ଭ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଆଜି ୬୨ ଦିନରେ ପହଞ୍ଚିଛି। ଆନ୍ଦୋଳନରତ କୃଷକ ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ସିଂଘୁ ବୋର୍ଡରରୁ ଟ୍ରାକ୍ଟର ରାଲି ଆରମ୍ଭ କରିଛନ୍ତି। ଟିକରୀ ବୋର୍ଡରରେ କୃଷକମାନେ ବ୍ୟାରିକେଡ ଭାଙ୍ଗି ପଦଯାତ୍ରା ଆରମ୍ଭ କରିଛନ୍ତି। ଟ୍ରାକ୍ଟର ପ୍ୟାରେଡକୁ ଦୃଷ୍ଟିରେ ରଖି ରାଜଧାନୀର ଅନେକ ସୀମାରେ ହଜାରେ ସଶସ୍ତ୍ର ସେନାଙ୍କୁ ନିଯୁକ୍ତ କରାଯାଇଛି। ଏଥିସହିତ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି।

ଟ୍ରାକ୍ଟର ରାଲି ନେଇ କିଛି ଗାଇଡଲାଇନ ଜାରି କରାଯାଇଛି। ଏହି ରାଲିରେ ଟ୍ରାକ୍ଟର ଓ ଅନ୍ୟ ଗାଡ଼ି ଚାଲିବ କିନ୍ତୁ ଟ୍ରୋଲି ଚାଲିବ ନାହିଁ। ନିଜ ସହିତ ୨୪ ଘଣ୍ଟାର ରାସନ ଓ ପାଣି ରଖିବାକୁ ପଡ଼ିବ। ପ୍ରତ୍ୟେକ ଟ୍ରାକ୍ଟର ଓ ଗାଡ଼ିରେ କୃଷକଙ୍କ ପତାକା ସହ ରାଷ୍ଟ୍ରୀୟ ପତାକା ମଧ୍ୟ ଲାଗିବ। କିନ୍ତୁ କୌଣସି ରାଜନୈତିକ ଦଳର ପତାକା ଲାଗିବ ନାହିଁ। ନିଜ ସହିତ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ଓ ବାଡ଼ି ରଖିବାକୁ ମନା କରାଯାଇଛି। କୌଣସି ନକାରାତ୍ମକ ନାରା ଓ ବ୍ୟାନର ଲଗାଇବାକୁ ମଧ୍ୟ ବାରଣ କରାଯାଇଛି।