ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

ରିଆମାଳ,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ତେଲିମୁଣ୍ଡା ଛକ ଠାରେ ଆଜି ଅପରାହ୍ନ ୩ଟାରେ ଟ୍ରାକ୍ଟର- ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଟ୍ରାକ୍ଟର ଚାଳକ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା କୁର୍ଲା ଗ୍ରାମର ସୁମନ୍ତ କୁମାର ଗଡତିଆ ନିଜ ଗ୍ରାମରୁ ବାଇକ(ଓଡି-୧୭-ଟି-୫୪୧୧) ଯୋଗେ ତେଲିମୁଣ୍ଡା ଛକ ଦେଇ ଯାଉଥିବାବେଳେ ଏକ ଟ୍ରାକ୍ଟର ସହ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀ ବାଇକରୁ ଛିଟିକି ପଡି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛି।

ସେହିପରି ବାଇକଟି ଟ୍ରାକ୍ଟର ଇଞ୍ଜିନ ତଳେ ପଶି ଯିବାରୁ ଟ୍ରାକ୍ଟରଟି ତେଲିମୁଣ୍ଡା ଟ୍ରାଫିକରେ ଧକ୍କା ହୋଇଥିଲା। ଏହି ସମୟରେ ସ୍ଥାନୀୟ ଟ୍ରାଫିକ ଛକରେ ଥିବା ହୋମଗାର୍ଡ ଥାନାକୁ ଖବର ଦେଇଥିଲେ। ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ଟ୍ରାକ୍ଟର ଡ୍ରାଇଭରକୁ ଚିକିତ୍ସା ପାଇଁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅନ୍ୟପକ୍ଷରେ ପୁଲିସ ବାଇକ ଆରୋହୀର ଶବକୁ ବ୍ୟବଚ୍ଛେଦ ପାଇଁ ନେବାକୁ ଚେଷ୍ଟା କରୁଥିବାବେଳେ ସ୍ଥାନୀୟ ଲୋକେ ମୃତ ବାଇକ ଆରୋହୀଙ୍କ କ୍ଷତି ପୂରଣ ଦାବି କରି ରାସ୍ତାରୋକ କରିଥିଲେ। ଟ୍ରାକ୍ଟର ଚାଳକ ଅଚେତ ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପରିଚୟ ମିଳିପାରି ନାହିଁ।