ଟିପିଡବ୍ଲ୍ୟୁଓଡିର ଉପଭୋକ୍ତା ମାରଣ ନିତୀ ବିରୋଧରେ ବିଦ୍ୟୁତ ଉପୋଭୋକ୍ତା ମଞ୍ଚ ଗଠିତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଟାଉନ କ୍ଲବ ଠାରେ ଜିଲ୍ଲାର ଜନସାଧାରଣଙ୍କୁ ନେଇ ଆଜି ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ମଞ୍ଚ ଗଠିତ ହୋଇଯାଇଛି। ପୂର୍ବତନ କାଉନସିଲର ସୁଶୀଲ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ରହି ବିଦ୍ୟୁତ ବିତରଣକାରୀ ସଂସ୍ଥା ଟାଟା ପାୱାର ୱେଷ୍ଟର୍ଣ ଓଡିଶା ଡିସଟ୍ରିବ୍ୟୁସନ କମ୍ପାନୀର ଜନମାରଣ ନିତୀର ତୀବ୍ର ସମାଲୋଚନା କରିବା ସହ କମ୍ପାନୀ କର୍ମଚାରୀ ମାନେ ବେଆଇନ ଭାବେ ଯାଞ୍ଚ ଆଳରେ ବିଦ୍ୟୁତ ଉପଭୋକ୍ତାଙ୍କ ଘରକୁ ପଶି ଉପଭୋକ୍ତାଙ୍କ ବ୍ୟକ୍ତିଗତ ସମ୍ପତି ଆକଳନ ଏବଂ କମ୍ପାନୀ କର୍ମଚାରୀଙ୍କ ଗୁଣ୍ଡାଗିରି ନିତୀକୁ ବିରୋଧ କରିଥିଲେ। ସେହିପରି ବିଦ୍ୟୁତ ବିଲରେ ସ୍ଲାବ ବ୍ୟବସ୍ଥାକୁ ଉଚ୍ଛେଦ କରି ମିଟର ରିଡିଙ୍ଗ ଅନୁଯାୟୀ ଦେୟ ସଂଗ୍ରହ ପାଇଁ ଦାବି କରିଥିଲେ।

ସେହିପରି ଗ୍ରାମାଞ୍ଚଳ ଗୁଡିକରେ ସମ୍ପୂର୍ଣ ବିଦ୍ୟୁତ ଦେୟ ଅସୁଲି ପରେ ମଧ୍ଯ ମାସ ମାସ ଧରି ବହୁ ଗ୍ରାମ ଅନ୍ଧକାର ମଧ୍ୟରେ ରହୁଥିଲେ ମଧ୍ଯ କମ୍ପାନୀ କର୍ତ୍ତୃପକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ନିର୍ଯାତନା ଦେଉଥିବା ନେଇ ବହୁ ଗ୍ରାମବାସୀ ଅଭିଯୋଗ କରିଥିଲା। ଜିଲ୍ଲାର ବିଦ୍ୟୁତ ଉପଭୋକ୍ତାଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି ଅନୁଯାୟୀ ଟିପିଡବ୍ଲ୍ୟଓଡି କମ୍ପାନୀ ସେବା ଯୋଗାଇବା ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖୀ ବିଲ ଆଦାୟ ଏବଂ ବିଦ୍ୟୁତ ସଂଯୋଗ ବିଛିନ୍ନରୁ ବିରତୀ ନହେଲେ ଆଗାମୀ ଦିନରେ ବିଦ୍ୟୁତ ଉପଭୋକ୍ତା ମଞ୍ଚ ପକ୍ଷରୁ ଜିଲ୍ଲାରେ ଜନ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଏହି ଅବସରରେ ମଞ୍ଚର ନୂତନ କର୍ମକର୍ତା ମନୋନୟନ ଅନୁଷ୍ଠିତ ହୋଇଥିଲା।

ଏଥିରେ ସଭାପତି ଭାବେ ପୂର୍ବତନ କାଉନସିଲର ନବୀନ ପାଣି, ଉପ ସଭାପତି ଭାବେ ସାମ୍ବାଦିକ ସିଦ୍ଧାର୍ଥ ଗୁରୁ, ସମ୍ପାଦକ ଭାବେ ସାମ୍ବାଦିକ ପ୍ରତାପ କିଶୋର ନାୟକଙ୍କ ସହ ସମ୍ପାଦକ ଶଙ୍କର୍ଷଣ ମହାପାତ୍ର, କୋଷାଧକ୍ଷ ପ୍ରଦ୍ୟୁମ୍ନ କୁମାର ଆଚାର୍ଯ୍ୟ, ଆଇନ ପରାମର୍ଶ ଦାତା ଭାବେ ଆଇନଜୀବୀ ଦୀପକ କୁମାର ମହାପାତ୍ର, ବିକାଶ କୁମାର ପ୍ରଧାନ ଓ ପ୍ରତାପ କୁମାର ପାତ୍ରଙ୍କୁ ସର୍ବ ସମ୍ମତି କ୍ରମେ ମନୋନିତ କରାଯାଇଥିବା ବେଳେ ମଞ୍ଚରେ ୨୧ ଜଣଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା।