ସିଲିଗୁଡ଼ି,ଏଜେନ୍ସି: ନର୍ଥଇଷ୍ଟ ଫ୍ରଣ୍ଟିୟର ରେଳବାଇ ପର୍ଯ୍ୟଟକଙ୍କ ପାଇଁ ଆଣିଛି ଖ୍ରୀଷ୍ଟମାସ ଉପହାର। କରୋନା କାରଣରୁ ବନ୍ଦ ଥିବା ଦାର୍ଜିଲିଂ ଟଏ ଟ୍ରେନ ସେବା ପୁଣି ଥରେ ଡିସେମ୍ବର ୨୫ରୁ ଆରମ୍ଭ ହେବ। ଏହି ଟ୍ରେନ ଦାର୍ଜିଲିଂ ଓ ଧୂମ ଷ୍ଟେସନ ମଧ୍ୟରେ ଚାଲିବ।
କରୋନା ମହାମାରୀ ବ୍ୟାପିବା ପରେ ମାର୍ଚ୍ଚ ମାସର ଶେଷ ସପ୍ତାହରେ ଟଏ ଟ୍ରେନ ସେବାକୁ ବନ୍ଦ କରିଦିଆଯାଇଥିଲା। ଆଶା କରାଯାଉଛି ଯେ, ଟଏ ଟ୍ରେନ ସେବା ଆରମ୍ଭ ହେବା ପରେ ପର୍ଯ୍ୟଟକ ବଢ଼ିବେ। ଏହା ଦ୍ୱାରା ଆର୍ଥିକ କାରବାର ମଧ୍ୟ ଅଧିକ ସକ୍ରିୟ ହେବ।
ଦାର୍ଜିଲିଂ ହିମାଳୟନ ରେଳବାଇ ପ୍ରଶାସନ ପକ୍ଷରୁ ୨ ମାସ ପୂର୍ବରୁ ଟଏ ଟ୍ରେନ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଥିଲା। ଏଥି ପାଇଁ ଜିଲ୍ଲା ପ୍ରଶାସନକୁ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଅନୁମତି ପାଇଁ ପତ୍ର ଦିଆଯାଇଥିଲା। କିନ୍ତୁ ଅନୁମତି ମିଳିବାରେ ବିଳମ୍ବ ହୋଇଥିଲା।