ପୁଲିସ ଇନଫରମର ସନ୍ଦେହରେ ହତ୍ୟା

ମାଲକାନଗିରି,ଏନ୍ଏନ୍ଏସ୍: ପୁଣି ନକ୍ସଲଙ୍କ ବର୍ବର କାଣ୍ଡ। ପୁଲିସ ଇନଫରମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ନିକଟସ୍ଥ ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ଜିଲ୍ଲାର ପେଦାବାଇଲୁ ବ୍ଲକ୍ ଚିନ୍ତାଗୁରୁ ଗାଁର ସତୀଶଙ୍କୁ ହତ୍ୟା କରାଯାଇଛି।

ସୂଚନା ଅନୁସାରେ ଗତକାଲି ରାତ୍ରି ପ୍ରାୟ ୨ଟା ସମୟରେ ୨୦ରୁ ଅଧିକ ମାଓବାଦୀ ଆସି ତାଙ୍କୁ ଘରୁ ଡାକି ନେଇଥିଲେ। ପରେ ତାଙ୍କୁ ହତ୍ୟା କରିଥିଲେ। ଏଥିସହିତ ମାଓବାଦୀମାନେ ମୃତ ଦେହ ନିକଟରେ ଏକ ଚିଠି ଛାଡ଼ି ଯାଇଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକମାନେ ଏହା ଦେଖି ପୁଲିସକୁ ସୂଚନା ଦେବା ସହ ପରିବାରକୁ ଖବର ପଠାଇଥିଲେ। ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ପୁଲିସ ଇନଫରମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଚିଠିରୁ ଜଣାପଡ଼ିଛି।