ଟୁଲକିଟ ମାମଲା: ନିକିତାଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ଗ୍ରେଟା ଥନବର୍ଗ ଟୁଲକିଟ ମାମଲାରେ ଅଭିଯୁକ୍ତ ନିକିତା ଜେକବଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। କୋର୍ଟ ୩ ସପ୍ତାହ ପାଇଁ ନିକିତାଙ୍କ ଗିରଫ ଉପରେ ରୋକ ଲଗାଇ ଦେଇଛନ୍ତି। ଏହି ଆଶ୍ୱସ୍ତି ୨୫ ହଜାର ଭରିବା ପରେ ମିଳିଛି। ଶୁଣାଣୀ ସମୟରେ ନିକିତାଙ୍କର କୌଣସି ଧାର୍ମିକ, ରାଜନୀତିକ ଓ ଆର୍ଥିକ ଏଜେଣ୍ଡା ନାହିଁ ବୋଲି କୋର୍ଟ କହିଥିଲେ। ଫେବୃଆରୀ ୧୧ ତାରିଖରେ ନିକିତାଙ୍କ ଘରେ ସର୍ଚ୍ଚ କରିବା ସହ ଜିନିଷ ଜବତ କରିଥିବା କଥା ମଧ୍ୟ କୋର୍ଟ ସ୍ୱୀକାର କରିଥିଲେ। ଏଥିସହିତ ମାମଲା ଅନ୍ୟ ରାଜ୍ୟରେ ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବାରେ ତାଙ୍କର କୌଣସି ଅଧିକାର ନାହିଁ ବୋଲି କୋର୍ଟ କହିଥିଲେ।

ନିକିତାଙ୍କ ଓକିଲ କହିଛନ୍ତି ଯେ, ‘ଟୁଲକିଟକୁ କେବଳ ନିକିତା ପ୍ରସ୍ତୁତ କରିନାହାନ୍ତି। ଟୁଲକିଟ ସହ ନିକିତା ଜଡ଼ିତ ଅଛନ୍ତି। କୃଷି ଆଇନ ସମ୍ପର୍କରେ ଜାଗରଣ ସୃଷ୍ଟି କରିବା ପାଇଁ ସେ ରିସର୍ଚ୍ଚ କରିଛନ୍ତି। ଏହାବ୍ୟତୀତ ଆଉ କିଛି ନୁହେଁ। ହିଂସା ସୃଷ୍ଟି କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା।’