୨୪ଟି ଦେଶର ରାଜନୀତିଜ୍ଞଙ୍କ କଶ୍ମୀର ଗସ୍ତ

ନୂଆଦିଲ୍ଲୀ : କେନ୍ଦ୍ର ଶାସିତ ପ୍ରଦେଶ କଶ୍ମୀର ପରିଦର୍ଶନ କରିବା ପାଇଁ ୨୪ଟି ଦେଶର ଏକ ପ୍ରତିନିଧୀ ମଣ୍ଡଳ ଶ୍ରୀନଗର ପହଞ୍ଚିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ବିଦେଶୀ ଅତିଥୀଙ୍କ ଏହା ଚତୁର୍ଥ ଗସ୍ତ। ଏହି ପ୍ରତିନିଧୀ ମଣ୍ଡଳରେ ମୁଖ୍ୟ ରୂପେ ଆଫ୍ରିକାନ୍, ମଧ୍ୟ-ପୂର୍ବ ଓ ୟୁରୋପୀୟ ଦେଶର ବିଦେଶୀ ରାଜନୀତିଜ୍ଞ ସାମିଲ ଅଛନ୍ତି। ଏହି ପ୍ରତିନିଧୀ ମଣ୍ଡଳର ସଦସ୍ୟ ଜିଲ୍ଲା ବିକାଶ ପରିଷଦ(ଡୀଡୀସୀ)ର ନବନିର୍ବାଚିତ ସଦସ୍ୟ, ସାମାଜିକ ଓ ରାଜନୈତିକ କର୍ମକର୍ତ୍ତା, କିଛି ସାମାଜିକ ପତ୍ରର ସମ୍ପାଦକ, ପ୍ରଶାସନିକ ଅଧିକାରୀ ଓ ସେନା ଯବାନ ସହିତ ଅନେକ ଲାଭାର୍ଥୀଙ୍କୁ ସାକ୍ଷାତ କରିବେ।

ଏହାପୂର୍ବରୁ ୟୁରୋପୀୟ ଦେଶର ପ୍ରତିନିଧୀମଣ୍ଡଳ ଅକ୍ଟୋବର ୨୦୧୯ରେ ଦ୍ୱିଦିବସୀୟ କଶ୍ମୀର ଗସ୍ତ କରିଥିଲେ। ପରେ ୨୦୨୦ ଜାନୁଆରୀ ୯ରେ ଦିଲ୍ଲୀସ୍ଥିତ ଆମେରିକା ରାଜଦୂତ ସମେତ ୧୬ ବିଦେଶୀ ରାଜନୀତିଜ୍ଞ ଯାଇଥିଲେ। ବିଦେଶୀ ରାଜନୀତିଜ୍ଞଙ୍କ ୨୫ ସଦସ୍ୟଙ୍କ ଏକ ପ୍ରତିନିଧୀମଣ୍ଡଳ ୨୦୨୦ ଫେବୃଆରୀ ୧୨ରେ କଶ୍ମୀର ଗସ୍ତ କରିଥିଲେ। ଏହି ପ୍ରତିନିଧୀମଣ୍ଡଳରେ ଜର୍ମାନୀ, କାନାଡ଼ା, ଫ୍ରାନ୍ସ ଓ ଆଫଗାନିସ୍ତାନର ରାଜନୀତିଜ୍ଞ ସାମିଲ ଥିଲେ।