ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ରେ ଆଜିଠୁ ମାଗଣାରେ ଯାତ୍ରା ମନା, ଲାଗିବ ଟୋଲ୍ ଟ୍ୟାକ୍ସ

ଲଖନଉ,ଏଜେନ୍ସି: ମେ’ ମାସ ୧ ତାରିଖ ଠାରୁ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ରେ ଟୋଲ୍ ମିଟର ଆରମ୍ଭ ହୋଇଯାଇଛି । ଶନିବାର ୟୁପିଡାର ସିଇଓ ଅବନୀଶ କୁମାର ଅବସ୍ଥି ଟୋଲ୍ ଟ୍ୟାକ୍ସ କେତେ ହେବ ଏହା କହିସାରିଛନ୍ତି । ପୂର୍ବାଞ୍ଚଳ ଏକ୍ସପ୍ରେସ୍ ଉପରେ ମୋଟ ଟୋଲ ଟ୍ୟାକ୍ସ ୮୩୩ଟଙ୍କା ହେବ । ଆଗ୍ରା-ଲଖନଉ ଏକ୍ସପ୍ରେସ୍ ୱେ ଭଳି ପୂର୍ବାଞ୍ଚଳ ଏକ୍ସପ୍ରେସ୍ ଉପରେ ଟୋଲ ଟ୍ୟାକ୍ସରେ ୨୫ ପ୍ରତିଶତ ରିହାତି ରହିବ । ଏହାର ବାସ୍ତବିକ ଟୋଲ୍ ଟ୍ୟାକ୍ସ ୬୨୫ ଟଙ୍କା ଦେବାକୁ ପଡ଼ିବ ।

ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ରେ ଲଖନଉ ଠାରୁ ଗାଜୀପୁର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଗାଡ଼ି ପାଇଁ ୨୦୨୨-୨୩ ଲାଗି ଟୋଲ ଦର ନିର୍ଦ୍ଧାରିତ କରାଯାଇଛି । କାର, ଜୀପ, ଭ୍ୟାନ୍ ଅଥବା ଲାଇଟ ମୋଟର ଗାଡ଼ି ପାଇଁ ୬୭୫ ଟଙ୍କା ରଖାଯାଇଛି । ହାଲୁକା ବ୍ୟବସାୟିକ ବାହନ, ହାଲୁକା ମାଲ ପରିବହନ ବାହାନ ପାଇଁ ୧୦୬୫ ଟଙ୍କା, ବସ୍ ଅଥବା ଟ୍ରକ ଲାଗି ୨୧୪୫ ଟଙ୍କା, ଭାରୀ ନିର୍ମାଣ କାର୍ଯ୍ୟ ମେସିନ, ଭୁ-ଗତିମାନ ଉପସ୍କାର ଅଥବା ମଲ୍ଟି ଏକ୍ସସେଲ ଗାଡ଼ି ପାଇଁ ୩୨୮୫ ଟଙ୍କା ଓ ଓଭରସାଇଜ ଗାଡ଼ ପାଇଁ ୪୧୮୫ ଟଙ୍କା ଟୋଲ ଟ୍ୟାକ୍ସ ଆଦାୟ ହେବ ।

ପୂର୍ବାଞ୍ଚଳ ଏକ୍ସପ୍ରେସ୍ ଦେଶର ଅନ୍ୟ ବୃହତ୍ତ ସଡ଼କ ତୁଳନାରେ ସ୍ୱତନ୍ତ୍ର । ୩୪୦ କିମି ଦୀର୍ଘ ଏହି ଜାତୀୟ ରାଜପଥକୁ ୮ଟି ପ୍ୟାକେଜରେ ବିକଶିତ କରାଯାଇଛି । ଏଥିରେ ୨୨ଟି ଫ୍ଲାଏଓଭର, ୭ଟି ରେଳବାଇ ଓଭରବ୍ରିଜ, ୭ଟି ବଡ଼ ବ୍ରିଜ୍‌, ୧୧୪ଟି ଛୋଟ ପୋଲ ନିର୍ମାଣ ହୋଇଛି । ଏହା ବ୍ୟତୀତ ୪୫ ବାହନ ଅଣ୍ଡରପାସ, ୧୩୯ ଛୋଟ ବାହନ ଅଣ୍ଡରପାସ, ୮୭ଟି ପାଦଚଲା ଅଣ୍ଡର ପାସ ଓ ୫୩୫ ବକ୍ସ କଲର୍ଭଟ ନିର୍ମାଣ କରାଯାଇଛି । ଏହି ଏକ୍ସପ୍ରେସ୍ ନିର୍ମାଣ ପାଇଁ ୧୧,୨୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।