ପୁରୀ,ଏନ୍ଏନ୍ଏସ୍: ଏଏସଆଇର ଏକ ଟିମ ଆସନ୍ତାକାଲି ପୁରୀ ଗସ୍ତ କରିବ । ସେଠାରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବେ । ଏଏସଆଇର ବିନା ଅନୁମତିରେ ପରିକ୍ରମା ପ୍ରକଳ୍ପ ପାଇଁ ଖନନ ଓ ନିର୍ମାଣ କାମ ଚାଲିଥିବା ଅଭିଯୋଗ ହୋଇଆସୁଛି ।
ତେବେ ଏନେଇ କିଛି ଦିନ ହେଲା ବିବାଦ ଚାଲିଛି । ଏସମ୍ପର୍କରେ ଦିଲ୍ଲୀପ କୁମାର ବରାଳ ହାଇକୋର୍ଟେରେ ଏକ ଜନସ୍ୱାର୍ଥ ମାମଲା କରିଥିଲେ । ଏପ୍ରିଲ ୮ ତାରିଖରେ ମାମଲାର ଶୁଣାଣି କରି ମେ ୧୬ ତାରିଖକୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଥିଲେ କୋର୍ଟ ।
ହେଲେ ନିର୍ମାଣ ସ୍ଥାନର ଏଏସଆଇ ଯୁଗ୍ମ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ମାମଲାର ତ୍ୱରିତ ଶୁଣାଣି ପାଇଁ ଆବେଦନକାରୀ ଅନୁରୋଧ କରିବା ପରେ ପୁଣି ମେ ୯ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ଏହାର ୨ ଦିନ ପୂର୍ବରୁ ଅର୍ଥାତ ମେ ୭ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।