ଟୋକିଓ ଅଲିମ୍ପିକ ଉଦଯାପିତ

  • ଟୋକିଓ: ସମାପ୍ତ ହୋଇଛି କ୍ରୀଡା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ-୨୦୨୦। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ସମସ୍ତ ଦେଶର ଖେଳାଳିଙ୍କ ଉପସ୍ଥିତିରେ ଆଜି ଟୋକିଓ ଅଲିମ୍ପିକ୍ସ ସମାପ୍ତ ହୋଇଛି। ଆଉ ୨୦୨୪ରେ ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଏବେ ସାରା ବିଶ୍ୱକୁ ଅପେକ୍ଷା କରିବାକୁ ପଡିବ। ଆଜିର ଉଦଯାପନୀ ସମାରୋହରେ ଭାରତ ପକ୍ଷରୁ ରେସଲର ବଜରଙ୍ଗ ପୁନିଆ ତ୍ରିରଙ୍ଗା ପତାକା ଧରି ଅନ୍ୟ ଦେଶର ପ୍ରତିନିଧିଙ୍କ ସହ ସାମିଲ ହୋଇଥିଲେ। ଟୋକିଓରେ ଅଲିମ୍ପିକ୍ସ ପତାକାକୁ ପ୍ୟାରିସର ମେୟର ଏନି ହିଡ଼ଲଗୋଙ୍କ ହାତରେ ଦିଆଯାଇଛି। ଟୋକିଓ ଅଲିମ୍ପିକ୍ସରେ ସମୁଦାୟ ୧୧ ହଜାର ୯୦ ଜଣ ଖେଳାଳି ସାମିଲ ହୋଇଥିଲେ। ଭିନ୍ନ ଭିନ୍ନ କ୍ରୀଡ଼ାରେ ୩୪୦ଟି ସ୍ୱର୍ଣ୍ଣ, ୩୩୮ଟି ରୌପ୍ୟ ଓ ୪୦୨ଟି ବ୍ରୋଞ୍ଜ ପଦକ ଖେଳାଳିଙ୍କୁ ଦିଆଯାଇଛି। ଆଉ ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସ ସର୍ବଶ୍ରେଷ୍ଠ ସଫଳତା ଆଣିଦେଇଥିଲା। ଭାରତ ଏହି ଅଲିମ୍ପିକ୍ସରେ ୭ ଟି ପଦକ ସହ ୪୮ତମ ସ୍ଥାନ ହାସଲ କରିଛି ଯାହା ଅଲିମ୍ପିକ ଇତିହାସରେ ସର୍ବୋତ୍ତମ ପ୍ରଦର୍ଶନ।
    ଏହାପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ମୋଟ ୬ଟି ପଦକ ଜିତିଥିଲା। ଭାରତରୁ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ, ଭାରୋତ୍ତୋଳନକାରୀ ମିରାବାଇ ଚାନୁ ଏବଂ ରେସଲର ରବି କୁମାର ଦହିଆ ରୌପ୍ୟ ଜିତିଛନ୍ତି। ସେହିପରି ସଟଲର ପିଭି ସିନ୍ଧୁ, ରେସଲର ବଜରଙ୍ଗ ପୁନିଆ, ଲଭଲିନା ବୋର୍ଗୋହେନ ଏବଂ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଛନ୍ତି।