ନୂଆଦିଲ୍ଲୀ: କେନ୍ଦ୍ର ସରକାର ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ପରେ କଂଗ୍ରେସର ଅତିରିକ୍ତ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ବଡ଼ ବୟାନ ଦେଇଛନ୍ତି। ସୋନିଆ ଗାନ୍ଧୀ କହିଛନ୍ତି ଯେ, ଆଜି ସତ୍ୟ, ନ୍ୟାୟ ଓ ଅହିଂସାର ବିଜୟ ହୋଇଛି। ନ୍ୟାୟ ପାଇଁ ସଂଘର୍ଷ କରି ପ୍ରାଣାହୁତି ଦେଇଥିବା ୭୦୦ରୁ ଅଧିକ କୃଷକ ପରିବାରକୁ ନ୍ୟାୟ ମିଳିଛି। ତାଙ୍କ ବଳିଦାନ ବ୍ୟର୍ଥ ଯାଇନି। ପ୍ରଧାନମନ୍ତ୍ରୀ କୃଷକଙ୍କ ପାଇଁ ନ୍ୟୁନତମ ସମର୍ଥନ ମୂଲ୍ୟ(ଏମଏସପି)କୁ ସୁନିଶ୍ଚିତ କରିବା ଉଚିତ। ଏଥିସହିତ ଭବିଷ୍ୟତରେ କୃଷି ଆଇନ ଭଳି ବଡ଼ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ରାଜ୍ୟ ସରକାର, ବିପକ୍ଷ ଦଳ ଓ ଅନ୍ୟ ସମ୍ବୋଧିତ ପକ୍ଷ ସହିତ ଆଲୋଚନା କରିବା ଉଚିତ।
ସୋନିଆ ଗାନ୍ଧୀ ଆହୁରି କହିଛନ୍ତି ଯେ, ଶାସନରେ ବସିଥିବା ଲୋକ କୃଷକ ଓ ଶ୍ରମିକଙ୍କ ବିରୋଧରେ ଯେଉଁ ଷଡ଼ଯନ୍ତ୍ର ରଚିଥିଲେ ତାହା ଆଜି ବିଫଳ ହୋଇଛି। ଏକଛତ୍ରବାଦ ଶାସନ କରୁଥିବା ଶାସକଙ୍କ ଅହଙ୍କାର ମଧ୍ୟ ଭାଙ୍ଗିଛି। ଭବିଷ୍ୟତ ପାଇଁ ଏଥିରୁ ମୋଦୀ ସରକାର କିଛି ଶିଖିଥିବେ ବୋଲି ମୁଁ ଅନୁମାନ କରୁଛି।
ସୂଚନାଯୋଗ୍ୟ, କୃଷି ଆଇନ ପ୍ରତ୍ୟାହାର ହେବା ପରେ କଂଗ୍ରେସ ଆସନ୍ତାକାଲି ସମଗ୍ର ଦେଶରେ ‘କୃଷକ ବିଜୟ ଦିବସ’ ପାଳନ କରିବ। ଏଥିସହିତ ପ୍ରଦେଶ କଂଗ୍ରେସକୁ କୃଷକ ବିଜୟ ରାଲି କିମ୍ବା କୃଷକ ବିଜୟ ସଭା ଆୟୋଜନ କରିବାକୁ କୁହାଯାଇଛି।