ଆଜି ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ, ୨୨ରେ ହେବ ମହାପ୍ରଭୁଙ୍କ ଅଧର ନୀତି

ପୁରୀ,ଏନ୍ଏନ୍ଏସ୍: ଜନ୍ମବେଦୀରେ ନଅ ଦିବସୀୟ ଲୀଳା ସାରି ଶ୍ରୀଜିଉମାନେ ବାହୁଡ଼ିଛନ୍ତି। ସିଂହଦ୍ୱାର ଚକଡ଼ାରେ ପୁଣି ୩ ରଥ ଦେଖିବାକୁ ମିଳିଛି। ଆଜି ରଥଉପରେ ଶ୍ରୀଜିଉମାନଙ୍କର ମନଲୋଭା ବେଶ ‘ସୁନାବେଶ’ ଅନୁଷ୍ଠିତ ହେବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି।

ରଥ ଉପରେ ଆଜି ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ଆଳତି, ୭ଟାରେ ମଇଲମ, ୮ଟାରେ ଅବକାଶ କରାଯାଇଛି। ୯ଟାରେ ବେଶ ଶେଷ, ୧୦ଟାରୁ ୧୦ଟା ୩୦ ଗୋପାଳ ବଲ୍ଲଭ, ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସକାଳ ଧୂପ ନୀତି ଅନୁଷ୍ଠିତ ହେବ। ସେହିପରି ଅପରାହ୍ନ ୧ଟାରେ ମହାସ୍ନାନ ଓ ସର୍ବାଙ୍ଗ, ୧ଟା ୩୦ରେ ବେଶଶେଷ, ୨ଟାରୁ ୩ଟା ଯାଏଁ ମଧ୍ୟାହ୍ନ ଧୂପ, ୩ଟା ୩୦ରୁ ମଇଲମ, ୪ଟାରେ ମେକାପ ସର୍ବାଙ୍ଗ ପରେ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ସୁନାବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା ୫ଟାରେ ଆଳତି, ୮ଟାରୁ ୯ଟା ମଧ୍ୟରେ ସନ୍ଧ୍ୟା ଧୂପ, ରାତି ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସୁନାବେଶ ମଇଲମ, ରାତି ଚନ୍ଦନ ଲାଗି, ୧ଟାରେ ବଡ଼ସିଂହାର ବେଶ, ୧ଟା ୩୦ରେ ବଡ଼ସିଂହାର ଭୋଗ, ୨ଟାରେ ଶ୍ରୀଗରୁଡ଼ ଶୟନ ଓ ରାତ୍ର ପଡୁଡ଼ ନୀତି ହେବ।

କରୋନା କଟକଣା ଯୋଗୁଁ ଶ୍ରୀଜିଉଙ୍କ ସୁନାବେଶ ସାଧାରଣ ଦର୍ଶକଙ୍କୁ ବଡ଼ଦାଣ୍ଡରେ ରହି ଦେଖିବାର ମନା ହୋଇଛି। ଲୋକେ ମହାପ୍ରଭୁଙ୍କ ସୁନାବେଶକୁ ଟେଲିଭିଜନ ମାଧ୍ୟମରେ ହେଉଥିବା ସିଧାପ୍ରସାରଣ ଦେଖିପାରିବେ।

ସେହିଭଳି ଆସନ୍ତାକାଲି (ଜୁଲାଇ ୨୨) ମହାପ୍ରଭୁଙ୍କ ରଥ ଉପରେ ଅଧର ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।