ମିଶାଇଲ ମ୍ୟାନଙ୍କ ଆଜି ୫ମ ମୃତ୍ୟୁ ବାର୍ଷିକୀ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କୁ ତାଙ୍କ ୫ମ ମୃତ୍ୟୁ ବାର୍ଷିକରେ ଆଜି ସାରା ଦେଶ ମନେପକାଉଛି। ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଡ. କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଭାରତ ରତ୍ନ, ମିଶାଇଲ ମ୍ୟାନ୍ ଡକ୍ଟର ଅବଦୁଲ କଲାମ ପ୍ରତିଟି ଭାରତୀୟଙ୍କ ହୃଦୟରେ ଅଛନ୍ତି ବୋଲି ଟ୍ୱିଟ କରି କହିଛନ୍ତି।

ସୂଚନା ଅନୁସାରେ ମିସାଇଲ ମ୍ୟାନ୍ ଅଫ ଇଣ୍ଡିଆ ଭାବରେ ଜଣାଶୁଣା ଡକ୍ଟର କଲାମ ୨୭ ଜୁଲାଇ ୨୦୧୫ ରେ ଶିଲୋଙ୍ଗରେ ମୃତ୍ୟୁବରଣ କରିଥିଲେ। ଛାତ୍ରମାନଙ୍କୁ ଏକ ବକ୍ତୃତା ପ୍ରଦାନ କରୁଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ତାଙ୍କୁ ୧୯୮୧ରେ ପଦ୍ମ ଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ଏବଂ ୧୯୯୭ରେ ଭାରତ ରତ୍ନ ସମ୍ନାନରେ ସମ୍ମାନିତ କରାଯାଇଥିଲା। ଦେଶର ପରମାଣୁ ଏବଂ ମହାକାଶ କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ତାଙ୍କର ପୁସ୍ତକ ‘ୱିଙ୍ଗ୍ ଅଫ୍ ଫାୟାର’ ଏବଂ ‘ଇଗନାଇଟେଡ୍ ମାଇଣ୍ଡସ୍’ ଅନେକଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।