ବିଶାଖପାଟଣା,୧ା୧୦/ଏଜେନ୍ସି: ଘରୋଇ ଭାରତ ଓ ଭ୍ରମଣକାରୀ ସାଉଥ୍ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ସ୍ଥାନୀୟ ଡ. ୱାଇ ଏସ୍ ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡ଼ିୟମରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍ଶିପ୍ରେ ଏହା ଭାରତର ଦ୍ୱିତୀୟ ଏବଂ ଘରୋଇ ମାଟିରେ ପ୍ରଥମ ସିରିଜ ହେବ। ସେହିପରି ସାଉଥ୍ ଆଫ୍ରିକାର ଏହା ପ୍ରଥମ ସିରିଜ ରହିଛି। ଟେଷ୍ଟ ର୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଥିବା ଭାରତ ବିପକ୍ଷରେ ସାଉଥ୍ ଆଫ୍ରିକା ଏକ ଅନଭିଜ୍ଞ ଦଳକୁ ନେଇ ଖେଳିବ। ଗତ ଦିନିକିଆ ବିଶ୍ୱକପ୍ ପରେ ଅନେକ ବରିଷ୍ଠ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଫାଫ୍ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ଏକ ଯୁବ ଦଳ ଭାରତ ବିପକ୍ଷରେ ଶକ୍ତି ପରୀକ୍ଷା କରିବ। ଭାରତ ଗସ୍ତରେ ସାଉଥ୍ ଆଫ୍ରିକାର ଏହା ସପ୍ତମ ଟେଷ୍ଟ ସିରିଜ। ଏହାକୁ ଜିତି ଭ୍ରମଣକାରୀ ଦଳ ଦୀର୍ଘ ୧୯ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ୨୦୧୨-୧୩ ସିଜିନ୍ରୁ ଏପର୍ଯ୍ୟନ୍ତ ଘରୋଇ ପରିବେଶରେ ଲଗାତାର ୧୦ଟି ଟେଷ୍ଟ ସିରିଜ ଜିତିଥିବା ଭାରତ ବିରାଟ କୋହଲିଙ୍କ ନେତୃତ୍ୱରେ ଏହି ସିରିଜ ଜିତି ଲଗାତାର ୧୧ଟି ସିରିଜ ଜିତିପାରିଲେ ବିଶ୍ୱର ଶ୍ରେଷ୍ଠ ଦଳ ବୋଲି ପ୍ରମାଣିତ କରିବ।
