ଆଜି ସୁପ୍ରିମକୋର୍ଟ ପକ୍ଷରୁ ରାମ ଜନ୍ମଭୂମି ସମୀକ୍ଷା ଆବେଦନର ଶୁଣାଣି

ନୂଆଦିଲ୍ଲୀ,ଏଜେନ୍ସି: ରାମ ଜନ୍ମଭୂମି ଅଯୋଧ୍ୟା ପ୍ରସଙ୍ଗରେ ନଭେମ୍ବର ୯ତାରିଖରେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଥିବା ବେଳେ ଏହାକୁ ବିରୋଧ କରି ହିନ୍ଦୁ ମହାସଭା ଓ ଜାମିୟତ ଉଲେମା-ଏ-ହିନ୍ଦ ପକ୍ଷରୁ ଏକ ସମୀକ୍ଷା ଆବେଦନ ଦାଖଲ ହୋଇଥିଲା। ଏ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଏହି ଆବେଦନ ଉପରେ ଗୁରୁବାର ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ।

ସୁପ୍ରିମକୋର୍ଟ ମୁସଲିମ ପକ୍ଷଙ୍କୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜାଗା ଯୋଗାଇଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ଅଖିଳ ଭାରତ ହିନ୍ଦୁ ମହାସଭା ଏହାକୁ ଚ୍ୟାଲେଞ୍ଜ କରି ରିଭ୍ୟୁ ପିଟିସନ ଦାଖଲ କରିଥିଲା । ହିନ୍ଦୁ ମହାସଭା ପକ୍ଷରୁ ବିଷ୍ଣୁ ଶଙ୍କର ଜୈନ ଗତ ସୋମବାର ଏହି ପିଟଶନ ଦାଖଲ କରିଛନ୍ତି। ସେ କହିଛନ୍ତି, ମୁସଲିମ ପକ୍ଷ ବିକଳ୍ପ ଜାଗା ଯୋଗାଇଦେବାକୁ କେବେ ହେଲେ ଦାବି କରି ନ ଥିବାବେଳେ ସୁପ୍ରିମକୋର୍ଟ ସେମାନଙ୍କୁ ଏଭଳି ପୁରସ୍କାର ଦେଇପାରିବେ ନାହିଁ।

ଯେଉଁମାନେ ହିନ୍ଦୁମାନଙ୍କ ଧାର୍ମିକ ସ୍ଥାନକୁ ପାଦରେ ଦଳିଦେଇଛନ୍ତି, ସେମାନଙ୍କୁ ଏହି ବେଆଇନ କାର୍ୟ୍ୟ ପାଇଁ ପୁରସ୍କୃତ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଅଲ ଇଣ୍ଡିଆ ମୁସଲିମ ଲ’ ବୋର୍ଡ ସମର୍ଥନରେ ଜାମିୟତ ଉଲେମା-ଏ-ହିନ୍ଦ ପକ୍ଷରୁ ଗତ ସପ୍ତାହରେ ରିଭ୍ୟୁ ପିଟିଶନ ଦାଖଲ କରାଯାଇଛି।