ସାଇକେଲରେ କାର୍ଯ୍ୟାଳୟ ଆସିବେ ୩ଟି ସରକାରୀ ବିଭାଗର କର୍ମଚାରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସମସ୍ତେ ଚିନ୍ତାରେ। ଏ ନେଇ ସରକାରଙ୍କ ପକ୍ଷରୁ ବହୁ ସୁରକ୍ଷାର ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଉଛି। ତେବେ ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ୩ଟି ସରକାରୀ ଅନୁଷ୍ଠାନର ସମସ୍ତ କର୍ମଚାରୀମାନେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସାଇକେଲ କିମ୍ବା ପାଦରେ ଚାଲି ଅଫିସ ଆସିବାକୁ ବାଧ୍ୟତାମୂଳକ କରାଯାଇଛି। ସେଗୁଡ଼ିକ ହେଲା ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଏ ନେଇ ୩ଟି ଅନୁଷ୍ଠାନର ପରିଚାଳକ ଥିବା ପ୍ରେମଚନ୍ଦ୍ର ଚୌଧାରୀ ଏନେଇ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟରେ ଏପରି ପ୍ରୟାସ ପ୍ରଥମ ବୋଲି କୁହାଯାଉଛି।

ଏହି ପରିପ୍ରେକ୍ଷୀରେ ପ୍ରଦୂଷଣର ପ୍ରମୁଖ କାରଣ ସାଜିଥିବା ଅତ୍ୟଧିକ ଯାନବାହନ ଚଳାଚଳ ଉପରେ ନିୟନ୍ତ୍ରଣ ଆସିବାରେ କିଛିମାତ୍ରାରେ ସହାୟକ ହେବ। ଏଥିସହ ହଜାରରୁ ଊଦ୍ଧ୍ୱର୍ ଗାଡି ଚଳାଚଳ ବନ୍ଦ ରହିବ। ଆସନ୍ତା ଶୁକ୍ରବାର ଠାରୁ ଏହି ନିୟମ କାର୍ୟ୍ୟକାରୀ ହେବ। ଏହି ଦିନ ମୋଟର ଯାନରେ ଅଫିସ୍ ଆସୁଥିବା ଦେଖିବାକୁ ମିଳିଲେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତିନିଟି ଅଫିସ୍‌ରେ କାମ କରୁଥିବା ଛୋଟ ବଡ଼ ସବୁ ଅଧିକାରୀ, ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ, ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ବିଏସ୍‌ସିଏଲ୍‌ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଭୁବନେଶ୍ୱରରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ସ୍ତର ଚିନ୍ତାଜନକ ସ୍ଥିତି ଆଡ଼କୁ ଅଗ୍ରସର ହେଉଛି।

ଏବେଠାରୁ ଯଦି ଆମେ ସମସ୍ତେ ଉଦ୍ୟମ ଆରମ୍ଭ ନକରିବା ତେବେ ପରିସ୍ଥିତି ଅଣାୟତ୍ତ ହେବା ପାଇଁ ବେଶି ଦିନ ଲାଗିବ ନାହିଁ। ତେଣୁ ସରକାରୀ ଅନୁଷ୍ଠାନ ଭାବେ ଆମର ତିନିଟି ବିଭାଗର କର୍ମଚାରୀଙ୍କ ପାଇଁ ସପ୍ତାହରେ ଗୋଟିଏ ଦିନ ସାଇକଲରେ ଅଫିସ୍ ଯିବା ଆସିବା ପାଇଁ କୁହାଯାଇଛି। ଏହା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ। ଜନସାଧାରଣ ମଧ୍ୟ ଅନ୍ତତଃ ଗୋଟିଏ ଦିନ ମୋଟର ଯାନ ଛାଡ଼ି ସାଇକଲରେ ଯିବା ଆସିବା କରିବା ଉଚିତ ବୋଲି ସେ କହିଛନ୍ତି।