ଆଜିଠୁ ୫ ଦିନ ବ୍ୟାପୀ କୋଣାର୍କ ଉତ୍ସବ-୨୦୨୦ ଆରମ୍ଭ

କୋଣାର୍କ,ଏଜେନ୍ସି: କରୋନା କଟକଣା ମଧ୍ୟରେ ଆଜିଠାରୁ ୫ ଦିନ ବ୍ୟାପୀ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୧ତମ କୋଣାର୍କ ଉତ୍ସବ-୨୦୨୦ ଆରମ୍ଭ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ କୋଣାର୍କ ଓ ଚନ୍ଦ୍ରଭାଗାରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରଭାଗା ବେଳାଭୂମିକୁ ମଧ୍ୟ ନୂଆ ରୂପରେ ସଜ୍ଜିତ କରାଯାଇଛି। ଏଥିସହ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହେବ ଅଷ୍ଟମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ।

ବିଶେଷକରି ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚର ମଞ୍ଚ ସଜ୍ଜା, ତୋରଣ ନିର୍ମାଣ, ଆଲୋକ ସଜ୍ଜା ଓ ଅନ୍ୟାନ୍ୟ ବାହ୍ୟ ସାଜସଜ୍ଜା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏହି ମହୋତ୍ସବରେ ଭିଡକୁ ନିୟନ୍ତ୍ରଣ ପାଇଁ ଗାଇଡଲାଇନ ମଧ୍ୟ ପ୍ରସ୍ତୁତ କରାଯାଇଛି। ଦର୍ଶକ ଓ ଗ୍ୟାଲେରୀରେ ୩ଫୁଟ ଦୂରତା ରହିବା ସହ ୬୬୦ ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। କୋଣାର୍କ ଉତ୍ସବରେ ୫ ଦିନ ବ୍ୟାପୀ ଓଡିଶୀ, କଥକ, ଇଣ୍ଡୋନେସିଆ କଳାକାରମାନଙ୍କ ଦ୍ୱାରା ବାର୍ଲି ନୃତ୍ୟ, ମୋହିନୀ ଆଟମ, ଭାରତ ନାଟ୍ୟମ ଆଦି ନୃତ୍ୟ ପରିବେଷଣ ହେବ।

ସେହିପରି ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ଚଳିତ ବର୍ଷ କୌଣସି ବିଦେଶୀ ଶିଳ୍ପୀ ଯୋଗ ଦେଉନଥିଲେ ମଧ୍ୟ ବିଭିନ୍ନ ରାଜ୍ୟରୁ ୭୦ ଜଣ ବାଲୁକା ଶିଳ୍ପୀ ୨୦ଟି ଷ୍ଟଲରେ ବାଲୁକା କଳା ପ୍ରଦର୍ଶିତ କରିବେ। ଚନ୍ଦ୍ରଭାଗାରେ ଦର୍ଶକ ବାଲୁକା କଳା ଉତ୍ସବ ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।