ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ, ମମିତା ମେହେର ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି

କଳାହାଣ୍ଡି,ଏନ୍ଏନ୍ଏସ୍: ମମିତା ମେହେର ନିଖୋଜ ତଥା ମୃତ୍ୟୁ ମାମଲାରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। ଏହି ଘଟଣା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସଂପୃକ୍ତି ନେଇ ଅଭିଯୋଗ କରବା ସହିତ ତାଙ୍କର ଇସ୍ତଫା ଦାବିରେ ବନ୍ଦ ଡାକରା ଦେଇଛି ବିଜେପି। ଘଟଣାରେ ମନ୍ତ୍ରୀ ସାମିଲ ଥିବା ଦାବି କରି ତାଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ବିଜେପି ଦାବି କରିଛି। ଏହା ସହିତ ଆଜି ବିଜେପିର ଏକ ଟିମ୍ ବଲାଙ୍ଗିର ଏବଂ କଳାହାଣ୍ଡି ଗସ୍ତ କରିବାକୁ ନିଷ୍ପତି ନେଇଛି। ସେମାନେ ମମିତାଙ୍କର ପରିବାର ଲୋକଙ୍କୁ ଭେଟିବେ।

ଜିଲ୍ଲା ବିଜେପି ବନ୍ଦ ଡାକରା ଦେଇଥିବା ବେଳେ ସକାଳୁ ସବୁ ଦୋକାନ ବଜାର ବନ୍ଦ ରହିଛି। ବିଜେପିର କାର୍ଯ୍ୟକର୍ତ୍ତାମାନେ ରାସ୍ତାକୁ ଆସି ଟାୟାର ଜାଳି ପ୍ରତିବାଦ କରିଛନ୍ତି। ଏହି ସମୟରେ ରାଜ୍ୟ ସରକାରଙ୍କ ବିରୋଧରେ ନାରା ପ୍ରଦର୍ଶନ କରିବା ସହିତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ପୁଲିସ ଘଟଣାର ତଦନ୍ତ ବାଟବଣା କରୁଥିବା ଅଭିଯୋଗ କରି ବିଜେପି ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛି। ମୁଖ୍ୟମନ୍ତ୍ରୀ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ କରନ୍ତୁ ଅଥବା ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। କଳାହାଣ୍ଡିର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଥିଲେ ମଧ୍ୟ ଯାନବାହାନ ଚଳପ୍ରଚଳ ରହିଛି। ବିଜେପିର ଆଜି ଏକ ୫ ଜଣିଆ ଦଳ ପିଡିତାଙ୍କ ପରିବାରକୁ ଭେଟିବାକୁ ନିଷ୍ପତି ନେଇଛି। ଏହି ୫ ଜଣିଆ ଟିମ୍‌ରେ କେଉଁମାନେ ରହିବେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।