ଉତ୍ତରାଖଣ୍ଡରେ ବର୍ଷା-ବନ୍ୟା: ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି; ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ,ଏଜେନ୍ସି: କେରଳ ପରେ ଏବେ କିଛି ଦିନ ହେବ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ଭୂସ୍ଖଳନ ଓ ବନ୍ୟା ଜାରି ରହିଛି। ଏହାରି ମଧ୍ୟରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି ପାଇଁ। ଏସବୁ ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସରକାର ବିପଦରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଘୋଷଣା କରିଛନ୍ତି। ନୈନିତାଲ ଓ ଅନ୍ୟ ଅଂଚଳରୁ ଏଭଳି ଭିଡିଓ ଆସିଛି, ଯେଉଁଥିରେ କି ରାଜରାସ୍ତା ଓ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖାଯାଉଛି।

ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି ଯେ, ନୈନିତାଲରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ପୂରା ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ, ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦିଆଯିବ। ଯେଉଁମାନଙ୍କର ଘର ଭାଙ୍ଗିଛି ୧.୯ ଲକ୍ଷ ଟଙ୍କା ଦିଆଯିବ। ଗୃହପାଳିତ ପଶୁ ହରାଇଥିବା ଲୋକଙ୍କୁ ଯଥାସମ୍ଭବ ସହାୟତା ରାଶି ପ୍ରଦାନ କରାଯିବ।

ଉତ୍ତରାଖଣ୍ଡରେ ଆସିଥିବା ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଉତ୍ତରାଖଣ୍ଡର କିଛି ଅଂଚଳରେ ପ୍ରବଳ ବର୍ଷା କାରଣରୁ ଜୀବନ ଯିବାକୁ ନେଇ ବ୍ୟଥିତ ଲାଗୁଛି। ଆହତ ମାନେ ଆରୋଗ୍ୟ ଲାଭ କରନ୍ତୁ। ପ୍ରଭାବିତ ଲୋକଙ୍କୁ ସହାୟତା ଦେବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସମସ୍ତଙ୍କର ସୁରକ୍ଷା ଓ ଭଲ ପାଇଁ ପ୍ରାର୍ଥନା କରୁଛି।