ଟିଏମସିର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀଙ୍କ ହୃଦଘାତରେ ପରଲୋକ

କୋଲକାତା,ଏଜେନ୍ସି: ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଓ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ ହୋଇଯାଇଛି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ସେ କୋଲକାତାରେ ଶେଷ ନିଃଶ୍ବାସ ନେଇଛନ୍ତି। ମୃତ୍ୟୁ ବେଳକୁ ସୁବ୍ରତ ମୁଖାର୍ଜୀ ୭୫ ବର୍ଷ ବୟସର ଥିଲେ।

ସୁବ୍ରତ ମୁଖାର୍ଜୀଙ୍କୁ ହୃଦଘାତ ହୋଇଥିଲା। ଏହା ପରେ ତାଙ୍କୁ କୋଲକାତାସ୍ଥିତ ଏସ୍‌ଏସ୍‌କେଏମ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ପରଲୋକ ହୋଇଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ହସ୍ପିଟାଲକୁ ଯାଇଥିଲେ। ଏନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀ ସୁବ୍ରତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ମମତା ବାନାର୍ଜୀ କହିଛନ୍ତି ଯେ, ସେ ଜୀବନରେ ବହୁତ ବିପର୍ଯ୍ୟୟ ଦେଖିଛନ୍ତି। କିନ୍ତୁ ଏହା ହେଉଛି ଟିଏମ୍‌ସିର ବଡ଼ କ୍ଷତି। ହସ୍‌ପିଟାଲ ପକ୍ଷରୁ ସୂଚନା ମିଳିଥିଲା ଯେ, ନଭେମ୍ବର ୫ ତାରିଖରେ ସୁବ୍ରତ ମୁଖାର୍ଜୀଙ୍କୁ ଡିସଚାର୍ଜ କରିଦିଆଯିବ। କିନ୍ତୁ ଦୁଃଖର କଥା‌ ଯେ, ସୁବ୍ରତ ମୁଖାର୍ଜୀ ଆଉ ଆମ ଗହଣରେ ନାହାନ୍ତି। ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ସମେତ ଅନ୍ୟ ନେତାମାନେ ମଧ୍ୟ ସୁବ୍ରତଙ୍କ ପରଲୋକରେ ଗଭୀର ଶୋକ ଜଣାଇଛନ୍ତି।