ଦୀଦୀଙ୍କୁ ଆଉ ଏକ ଝଟକା: ବିଧାୟକ ଶୀଳଭଦ୍ର ଦତ୍ତ ଦେଲେ ଇସ୍ତଫା

ପଶ୍ଚିମବଙ୍ଗ: ଆଗାମୀ ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସର ସମସ୍ୟା ଲଗାତାର ଭାବେ ବଢ଼ିବାରେ ଲାଗିଛି। ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ଦିନରେ ୨ଟି ଝଟକା ଲାଗିଛି। ତୃଣମୂଳ କଂଗ୍ରେସର ବିଧାୟକ ଶୀଳଭଦ୍ର ଦତ୍ତ ଓ ଅଳ୍ପସଂଖ୍ୟକ ମୋର୍ଚ୍ଚାର ନେତା କବୀର-ଉଲ-ଇସ୍ଲାମ ପାର୍ଟିରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଓ ଜିତେନ୍ଦ୍ର ତିୱାରୀ ପାର୍ଟି ଛାଡ଼ି ଦେଇଥିଲେ।

୨୪ ପରଗନା ଜିଲ୍ଲାର ବେରକପୁର ବିଧାୟକ ଶୀଳଭଦ୍ର ଦତ୍ତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଶୀଳଭଦ୍ର ପୂର୍ବରୁ ଅନେକଥର ରାଜନୀତିକ କାର୍ଯ୍ୟକାରୀ ସମିତିର ମୁଖ୍ୟ ପ୍ରଶାନ୍ତ କିଶୋରଙ୍କୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିସାରିଛନ୍ତି। ଶୀଳଭଦ୍ର କହିଥିଲେ ଯେ, ‘ପ୍ରଶାନ୍ତ କିଶୋରଙ୍କ କାମ ମାର୍କେଟିଂ କମ୍ପାନୀ ଭଳି। ମୁଁ ଏମିତି ପରିବେଶରେ କାମ କରିପାରିବି ନାହିଁ।’

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ମମତା ନିଜ ପାର୍ଟିର ରାଜନୈତିକ ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରଶାନ୍ତ କିଶୋରଙ୍କୁ ଚୟନ କରିଥିଲେ।