ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସିଂ ଜରିଆରେ ମଧ୍ୟପ୍ରଦେଶର ରାୟସେନରେ କୃଷକ କଲ୍ୟାଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଗତ ଦିନରେ ପ୍ରାକୃତିକ ଦୁର୍ବିପାକ ଯୋଗୁ ମଧ୍ୟପ୍ରଦେଶ କୃଷକଙ୍କୁ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଆଜିର ଏହି କାର୍ଯ୍ୟକ୍ରମ ଦ୍ୱାରା ମଧ୍ୟପ୍ରଦେଶର ୩୫ ଲକ୍ଷ କୃଷକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ୧୬ଶହ କୋଟି ଟଙ୍କା ପଠାଯାଉଛି।
ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘ମୁଁ ସମସ୍ତ ରାଜନୈତିକ ଦଳକୁ କହିବାକୁ ଚାହୁଁଛି ଆପଣ କ୍ରେଡିଟ ନିଜ ପାଖରେ ରଖନ୍ତୁ। ମୋତେ କୌଣସି କ୍ରେଡିଟର ଆବଶ୍ୟକତା ନାହିଁ। ମୁଁ କୃଷକଙ୍କ ଜୀବନରେ ସୁବିଧା, ସମୃଦ୍ଧି ଓ ଆଧୁନିକତା ଆଣିବାକୁ ଚାହୁଁଛି। ଦୟାକରି କୃଷକଙ୍କୁ ଭ୍ରମିତ କରନ୍ତୁ ନାହିଁ। ଭ୍ରମ ଓ ମିଛର ଜାଲ ବିଛାଇ ନିଜ ରାଜନୈତିକ ରୁଟି ଶେକିବାର ଖେଳ ଖେଳନ୍ତୁ ନାହିଁ। କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଆକ୍ରମଣ କରିବା ଛାଡ଼ି ଦିଅନ୍ତୁ।’
ମୋଦୀ ଆହୁରି କହିଛନ୍ତି ଯେ, ଏମଏସପି ଚାଲୁଛି ଓ ଆଗକୁ ମଧ୍ୟ ଚାଲିବ। ମଣ୍ଡି ଓ ଏମଏସିପକୁ ନେଇ କୌଣସି ଦ୍ୱନ୍ଦ ନାହିଁ। ଆଇନ ପୂର୍ବରୁ ମଣ୍ଡି ଚାଲିଥିଲା ଏବେ ବି ମଣ୍ଡି ଚାଲିଛି। ଚାଷୀଙ୍କୁ ଅଯଥାରେ ବିଭ୍ରାନ୍ତ କରାଯାଉଛି। ଆମ ସରକାର ସବୁ ଶସ୍ୟ ଉପରେ ଏମଏସପି ବୃଦ୍ଧି କରିଛନ୍ତି।