ଦିଲ୍ଲୀପ ଘୋଷଙ୍କ ନିର୍ବାଚନୀ ପ୍ରଚାର ବନ୍ଦ ପାଇଁ ଟିଏମସିର ଦାବି

କୋଲକାତା,ଏଜେନ୍ସି: ବିଜେପି ନେତା ଦିଲ୍ଲୀପ ଘୋଷଙ୍କ ନିର୍ବାଚନୀ ପ୍ରଚାରକୁ ବନ୍ଦ କରିବା ପାଇଁ ଟିଏମସି ଦାବି କରିଛି। ପଶ୍ଚିମବଙ୍ଗର କୁଚ୍ଛବିହାର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଟିଏମସି କର୍ମୀଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀପ ମନ୍ତବ୍ୟ ଦେଇଥିଲେ। ତେବେ ତାଙ୍କର ଏହି ମନ୍ତବ୍ୟକୁ ବିରୋଧ କରି ପ୍ରଚାରକୁ ବନ୍ଦ କରିବା ପାଇଁ ଟିଏମସି ଦାବି କରିଛି।

ଦିଲ୍ଲୀପ ପ୍ରଚାର ସମୟରେ ପଶ୍ଚିମବଙ୍ଗର ଲୋକମାନଙ୍କୁ ଭୟଭୀତ କରାଇଥିବା ଅଭିଯୋଗ ଆଣିଛି ଟିଏମସି। ଯଦି କୌଣସି ବ୍ୟକ୍ତି ନିଜର ସୀମା ଲଘଂନ କରିବ ତେବେ ସିତଲକୁଚି ଭଳି ଘଟଣା ବାରମ୍ବାର ଘଟିବ ବୋଲି ଦିଲ୍ଲୀପ ତାଙ୍କ ମନ୍ତବ୍ୟରେ କହିଥିବା ଟିଏମସି ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଛି। ଏଥିସହ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ତାଙ୍କର ଆଗାମୀ ନିର୍ବାଚନୀ ପ୍ରଚାରକୁ ବନ୍ଦ କରାଯାଉ ବୋଲି ଟିଏମସି ନିର୍ବାଚନ ଆୟୋଗ ନିକଟରେ ଦାବି କରିଛି।

ସୂଚନା ଥାଉ କି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ କୁଚ୍ଛବିହାରରେ ହିଂସାକାଣ୍ଡ ଘଟିଥିଲା। ବୁଥରେ ଭୋଟ ଗ୍ରହଣ ସମୟରେ ସିଆରପିଏଫ ଯବାନ ଗୁଳିଚାଳନ କରିବା ଦ୍ୱାରା ୪ ଟିଏମସି କର୍ମୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପାଇଁ କୁଚ୍ଛବିହାର ଜିଲ୍ଲାର ସିତଲକୁଚି ଅଞ୍ଚଳର ୧୨୬ ପୋଲରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହାସହିତ କୁଚ୍ଛବିହାର ଜିଲ୍ଲାକୁ କୌଣସି ରାଜନୈତିକ ଦଳର ନେତା ବା କର୍ମୀଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି।