ଜିଲ୍ଲା ଦାବୀ ନେଇ କୃଷକ ସଂଗଠନର ପଦଯାତ୍ରା

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ସୁଦୁର ମହଦା ତ୍ରିବେଣୀ ଘାଟରୁ ଟିଟିଲାଗଡ଼ ସହର ପର୍ଯ୍ୟନ୍ତ କୃଷକ ସଂଘର୍ଷ ଅଭିଯାନ ପକ୍ଷରୁ ଦୀର୍ଘ ୧୬କିମି ପଦଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରିସାରିଥିବା ବେଳେ ଟିଟିଲାଗଡ଼ ଜିଲ୍ଲା ମାନ୍ୟତା ପାଇଁ ଗ୍ରାମାଞ୍ଚଳର ଚାଷୀ, ଶ୍ରମିକ ଓ ଯୁବବର୍ଗ ପଦଯାତ୍ରାରେ ସହସ୍ରାଧିକ ସଂଖ୍ୟାରେ ସାମିଲ ହୋଇଛନ୍ତି । କୃଷକ ସଂଘର୍ଷ ଅଭିଯାନ ପକ୍ଷରୁ ଆବାହକ ବାଲକୃଷ୍ଣ ଷାଣ୍ଢଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଦଳ ବିଭିନ୍ନ ଗ୍ରାମ ଦେଇ ଆସିବାବେଳେ ଭବ୍ୟ ସମ୍ବର୍ଦ୍ଧନା ସହ ଲୋକେ ଏଥିରେ ସାମିଲ ହୋଇଥିବା ଦେଖାଯାଇଥିଲା । ସକାଳ ୯ଟାରୁ ବାହାରି ଅପରାହ୍ନ ପ୍ରାୟ ୨ଟାରେ ପଦଯାତ୍ରୀ ଦଳ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ବେଳକୁ ଭିଡ଼ ଅସମ୍ଭାଳ ହୋଇ ପଡ଼ିଥିଲା । ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଆବାହକ ତଥା ବାର ଆସୋସିଏସନ ସଭାପତି ସଞ୍ଜୟ ବେହେରା, ବାର ଉପସଭାପତି ପଙ୍କଜ ପାଢ଼ୀ, ତୁଲସି ସାହୁ ଓ ବିରେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ରହି ପଦଯାତ୍ରୀ ଦଳଙ୍କୁ ସ୍ୱାଗତ କରିଥିଲେ । ଟିଟିଲାଗଡ଼ବାସୀଙ୍କ ଦୀର୍ଘ ୩୦ ବର୍ଷର ଜିଲ୍ଲା ଦାବୀକୁ ଅଣଦେଖା କରାଯାଉଥିବା ନେଇ ଅନୁଷ୍ଠିତ ବିକ୍ଷୋଭ ସଭାରେ ଚାଷୀ ନେତା ଶ୍ରୀ ଷାଣ୍ଢ ଏବଂ ଅନ୍ୟମାନେ ଗର୍ଜିଥିଲେ । ଦାଦନଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ଅଞ୍ଚଳର ବିକାଶ ପାଇଁ ସରକାର ତୁରନ୍ତ ଦାବୀ ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲିି ଚେତାବନୀ ଦିଆଯାଇଛି । ଏହାସହ କିଛି ଦାବୀ ନେଇ ସଂଗଠନ ପକ୍ଷରୁ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜାନକି ଜାନୀ, ରୂପେଶ୍ୱରୀ ରତେଇ, ତୁଲସି ଭୋଇ, ତରୁ ମାଝୀ, ଲୁଚନି ଭୋଇ, ଚମ୍ପା ମାଝୀ, ମଦନା ନାଗ, ପୂର୍ଣ୍ଣମୀ ଥାପା, ମଧୁ ମହାନନ୍ଦ, ମନୋଜ ଦାଶ ଓ ପୁରୁଷୋତ୍ତମ ଜାନୀ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ ।