କରୋନାରେ ତିରୁପତି ସାଂସଦଙ୍କ ମୃତ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: ଆନ୍ଧ୍ରପ୍ରଦେଶ ତିରୁପତିର ସାଂସଦ ବାଳି ଦୁର୍ଗା ପ୍ରସାଦ ରାଓ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ରାଓ କରୋନା ସଂକ୍ରମିତ ହେବା ପରେ ଚେନ୍ନଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତ୍ରିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୱାଇଏସଆର କଂଗ୍ରେସ ପାର୍ଟିର ସାଂସଦ ଶ୍ରୀ ରାଓଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ରେଡ୍ଡୀ ଦିବଂଗତ ସାଂସଦଙ୍କ ପରିବାର ଲୋକଙ୍କୁ ଫୋନ କରି ସମବେଦନା ଜଣାଇଛନ୍ତି। ଶ୍ରୀ ରାଓ ୧୯୮୫ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲା ଗୁଡୁର ବିଧାନସଭା ଆସନରୁ ପ୍ରଥମେ ନିର୍ବାଚିତ ହୋଇଥିଲେ। ସେ ୩ ଥର ବିଧାୟକ ରହିବା ସହିତ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବ ତେଲୁଗ ଦେଶମ ପାର୍ଟିରେ ପ୍ରଥମେ ସଦସ୍ୟ ରହିଥିଲେ। ୧୯୯୬ରୁ ୧୯୯୮ ପର୍ଯ୍ୟନ୍ତ ସେ ଚନ୍ଦ୍ରବାବୁ ନାଇଡୁଙ୍କ ସରକାରରେ ମନ୍ତ୍ରୀ ଥିଲେ। ତେବେ ଆନ୍ଧ୍ରପଦେଶର ବିଭାଜନ ପରେ ଶ୍ରୀ ରାଓ ୱାଇଏସଆର କଂଗ୍ରେସରେ ଯୋଗଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ପ୍ରଥମ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ।