ତୀରଥ ସିଂ ରାୱତ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଦେହରାଦୁନ୍: ତୀରଥ ସିଂ ରାୱତ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଆଜି ଅପରାହ୍ନ ୪ଟାରେ ତୀରଥ ସିଂ ନୂଆ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଦେହରାଦୁନରେ ହୋଇଥିବା ବିଧାୟକ ଦଳର ବୈଠକ ପରେ ତାଙ୍କୁ ଦଳର ନୂଆ ନେତା ରୂପେ ଚୟନ କରାଯାଇଛି। ପୂର୍ବ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ବିଧାୟକ ଦଳର ବୈଠକ ପରେ ତୀରଥ ସିଂ ରାୱତଙ୍କ ନାମ ଘୋଷଣା କରିଛନ୍ତି। ବିଧାୟକ ଦଳର ବୈଠକରେ କେନ୍ଦ୍ର ପର୍ଯ୍ୟବେକ୍ଷକ ଭାବେ ପାର୍ଟି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରମଣ ସିଂ ଓ ପ୍ରଦେଶ ପାର୍ଟି ପ୍ରଭାରୀ ଦୁଷ୍ୟନ୍ତ ଗୌତମ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ହେବା ପରେ ତୀରଥ ସିଂ ରାୱତ ପୂର୍ବ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ନିଜ ବଡ଼ ଭାଇ ରୂପେ ସମ୍ବୋଧନ କରିଛନ୍ତି। ସେ କହଛନ୍ତି ଯେ, ‘ଯେଉଁ ଦାୟିତ୍ୱ ମୋତେ ମିଳିଛି ମୁଁ ତା’କୁ ତୁଲାଇବି। ତ୍ରିବେନ୍ଦ୍ର ସିଂ ରାୱତ ମୁଖ୍ୟମନ୍ତ୍ରୀ ରୂପେ ଯେଉଁ କାମ କରିଛନ୍ତି ମୁଁ ସେସବୁକୁ ଆଗକୁ ବଢ଼ାଇବି। ଉତ୍ତରାଖଣ୍ଡରେ ଯେଉଁ କାମ ତ୍ରିବେନ୍ଦ୍ର ସିଂ ରାୱତ କରିଛନ୍ତି ତାହା ଆଉ କେହି ବି କରିନାହାନ୍ତି। ପ୍ରଦେଶର ଉନ୍ନତି ପାଇଁ କାମ କରିବି। ମୁଁ କେବେ ବି କଳ୍ପନା କରିନଥିଲି କି ମୋତେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବ।’