ପୁରୀ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ

ପୁରୀ,ଏନ୍ଏନ୍ଏସ୍: କରୋନା ମହାମାରୀ ଯୋଗୁଁ ଗତଥର ପରି ଚଳିତ ଥର ମଧ୍ୟ ନିରାଡମ୍ବର ଓ ବିନା ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ରଥଯାତ୍ରା। ତେବେ ରଥଯାତ୍ରା ପାଇଁ କେତେବେଳେ କେଉଁ ନୀତି ହେବ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଯାଇଛି। ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି।

* ସ୍ନାନଯାତ୍ରା ଦିନ ରାତି ୧ଟାରେ ମଙ୍ଗଳାର୍ପଣ ହେବ। ରାତି ୧ଟାରୁ ୪ଟା ମଧ୍ୟରେ ପହଣ୍ଡି ଏବଂ ଭୋର ୪ଟା ୩୦ରେ ମଙ୍ଗଳା ଆଳତୀ କରାଯିବ। ସେହିପରି ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳ ବିଜେ ପୂଜା ଏବଂ ସ୍ନାନ ସକାଳ କରାଯିବ। ଛେରା ପହଁରା ସକାଳ ୧୦ଟା ୩୦ ଏବଂ ହାତୀ ବେଶ ୧୧ଟାରୁ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ସନ୍ଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ ବାହୁଡା ପହଣ୍ଡି କରିବାକୁ ନୀତି ନିର୍ଘଣ୍ଟ ହୋଇଛି।

* ଶ୍ରୀଗୁଣ୍ଡିଚା ଦିନ ସକାଳ ୮ଟାରେ ରଥ ପ୍ରତିଷ୍ଠା ଏବଂ ସକାଳ ୮ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି କରାଯିବ। ଦିନ ୨ଟାରେ ଛେରା ପହଁରା ଓ ଅପରାହ୍ଣ ୩ଟାରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହେବ।

* ବାହୁଡା ଦିନ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୨ଟା ମଧ୍ୟରେ ପହଣ୍ଡି ଏବଂ ଅପରାହ୍ଣ ୪ଟାରେ ରଥଟଣା ହେବ।

* ସୁନାବେଶ ଦିନ ଅପରାହ୍ଣ ୪ଟାରୁ ୫ଟା ୩୦ ମଧ୍ୟରେ ସୁନାବେଶ ଏବଂ ରାତି ୧୧ଟାରୁ ୧୨ଟା ମଧ୍ୟରେ ବେଶ ଓଲାଗି ଅନୁଷ୍ଠିତ ହେବ।

* ଅଧରପଣା ଦିନ ରାତି ୮ଟା ସୁଦ୍ଧା ଶେଷ ହେବ ଅଧରପଣା ନୀତି।

* ନୀଳାଦ୍ରି ବିଜେ ଦିନ ଅପରାହ୍ଣ ୪ଟାରୁ ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ ହେବ ଏବଂ ରାତି ୧୦ଟାରେ ଶେଷ କରାଯିବ।