ବାଘ ଚମଡା ଜବତ, ଅଭିଯୁକ୍ତ ଫେରାର

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ରାଇଘର ବନାଞ୍ଚଳରୁ ଏକ ବାଘ ଛାଲ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ। ସୂଚନା ଅନୁସାରେ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ମଗର ଧନଜି ରାଓଶୋଙ୍କ ନିର୍ଦ୍ଦେଶରେ ଉମରକୋଟ ଓ ରାଇଘର ବନବିଭାଗ ଦ୍ଵାରା ଏକ ସ୍କ୍ୱାଡ ଗଠନ କରଯାଇଥିଲା। ବାଘ ଛାଲ ରହିଥିବା କଥା ଜାଣିବା ପରେ ପୂର୍ବରୁ ଏହି ଦଳ ବେପାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ଏହି ଦଳ ବାଘ ଛାଲ ରଖିଥିବା ଲୋକଙ୍କ ଗତି ବିଧିକୁ ଦୀର୍ଘ ଏକ ମାସ ଧରି ନଜର ରଖିଥିଲା। ଖବର ପାଇ କିଛି ବ୍ୟବସାୟୀମାନେ ଏହି ବାଘ ଛାଲକୁ କିଣାବିକା କରିବାକୁ ବିରପୁର ଜଙ୍ଗଲ ନିକଟରେ ଆସୁଥିଲେ।

ଖବରପାଇ ଅତର୍କିତ ଭାବରେ ଏହି ଟିମ୍ ଆକ୍ରମଣ କରିଥିଲା। ଏହା ଫଳରେ ବ୍ୟବସାୟୀ ମାନେ ବାଘଛାଲ ଥିବା ବ୍ୟାଗକୁ ଛାଡ଼ି ସେଠାରୁ ଖସି ଯିବାକୁ ସଫଳ ହୋଇଥିଲେ। ଉକ୍ତ ସ୍ଥାନରେ ଭୀଷଣ ବର୍ଷା ହେଉଥିବାରୁ ସେମାନଙ୍କୁ ଧରିବାରେ ଅସୁବିଧା ହୋଇଥିଲା। ବାଘ ଚମଡ଼ାକୁ ସେଠାରୁ ଜବତ କରାଯାଇଛି। ଏହି ଘଟଣାରେ ରାଇଘର ବନାଞ୍ଚଳରେ ଏକ ମାମଲା ରୁଜୁ କରାଯାଇଛି। ଏହାର ଅଧିକ ତଦନ୍ତ ଜାରି ରହିଥିବା ବନ ଖଣ୍ଡ ଅଧିକାରି ଶ୍ରୀ ରାଓଶୋ ସୂଚନା ଦେଇଛନ୍ତି।