ସିଇଏ ଦୌଡ଼ରେ ତିନି ମହିଳା: ଦେଶକୁ ମିଳିପାରେ ପ୍ରଥମ ମହିଳା ପ୍ରମୁଖ ପରାମର୍ଶଦାତା

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ସରକାରଙ୍କ ପ୍ରମୁଖ ଆର୍ଥିକ ପରାମର୍ଶଦାତା (ସିଇଏ) ଭାବେ ସଫଳତାର ସହିତ କାର୍ଯ୍ୟ ସମ୍ପନ୍ନ କରିସାରିବା ପରେ କୃଷ୍ଣମୂର୍ତ୍ତି ସୁବ୍ରମନ୍ୟନ୍ ଶିକ୍ଷା ଜଗତରେ ନିଜ ସେବା ପ୍ରଦାନ କରିବା ଅଭିପ୍ରାୟ ନେଇ ସିଇଏ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ଅର୍ଥାତ୍ ୭, ଡିସେମ୍ବରରେ ସେ ନିଜ କାର୍ଯ୍ୟ ତଥା ପଦରୁ ଅବସର ନେଉଛନ୍ତି। ସରକାର ଏହି ପଦରେ କୌଣସି ମହିଳାଙ୍କୁ ନିଯୁକ୍ତି ଦେବା ପାଇଁ ବିଚାରବିମର୍ଶ କରୁଛନ୍ତି ଅର୍ଥାତ୍ ଏହା ସରକାରଙ୍କର ପ୍ରାଥମିକତା ରହିଛି ବୋଲି ସୂଚନା ମିଳିଛି। ଯଦି ଏହା ହୁଏ, ତେବେ ଦେଶ ପରବର୍ତ୍ତୀ ସିଇଏ ଭାବେ ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ପଦାସୀନ ହେବାର ଦେଖିବ।

ସୂତ୍ର ଅନୁସାରେ ତିନିଜଣ ମହିଳାଙ୍କ ନାମ ସରକାରଙ୍କ ବିଚାରରେ ରହିଛି। ସେମାନଙ୍କ ମଧ୍ୟରୁ ଅନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ପ୍ରମୁଖ ଅର୍ଥଶାସ୍ତ୍ରୀ ଗୀତା ଗୋପିନାଥ ଅନ୍ୟତମ। ଗୀତାଙ୍କ ବ୍ୟତୀତ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସର ଅଧ୍ୟାପିକା ଡ. ପମି ଦୁଆ ଓ ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚ (ଏନ୍‌ସିଆଇଆର୍‌)ର ମହାନିର୍ଦ୍ଦେଶକ ପୁନମ୍ ଦୁଆଙ୍କ ନାମକୁ ନେଇ ମଧ୍ୟ ମନ୍ଥନ ଜାରିରହିଛି। ଯଦି ଏମାନଙ୍କ ମଧ୍ୟରୁ କେହି ନିଯୁକ୍ତ ହୁଅନ୍ତି, ତା’ହେଲେ ପ୍ରଥମଥର ପାଇଁ ଦେଶର ଅର୍ଥମନ୍ତ୍ରୀ ଓ ସରକାରଙ୍କ ପ୍ରମୁଖ ଆର୍ଥିକ ପରାମର୍ଶଦାତା ଉଭୟ ମହିଳା ଭାବେ ପଦଭାରରେ ରହିବେ।

ଭାରତୀୟ ବଂଶୋଦ୍ଭବ ଗୀତା ଗୋପିନାଥ ନିକଟରେ ଆଇଏମ୍‌ଏଫ୍‌ରୁ ଅବସର ନେଇ ଶିକ୍ଷା କ୍ଷେତ୍ରକୁ ଫେରିଯିବା ଘୋଷଣା କରିଥିଲେ। ଅପରପକ୍ଷରେ ଆଇଏମ୍‌ଏଫ୍ ଗୀତାଙ୍କୁ ଡେପୁଟି ପରିଚାଳନା ନିର୍ଦ୍ଦେଶକ ଭାବେ ପୁନଃ ନିଯୁକ୍ତି ଦେଇଛି। ଭାରତ ସରକାରଙ୍କ କରୋନା ବିରୋଧୀ ଲଢ଼େଇକୁ ଗୀତା ପ୍ରଶଂସା କରିଥିଲେ। ଗୀତାଙ୍କ ନିଯୁକ୍ତି ଅନ୍ୟ ଦୁଇଜଣଙ୍କ ତୁଳନାରେ ଅଧିକ ସମ୍ଭାବନା ରହିଛି। ୧୯୭୧ରେ କୋଲ୍‌କାତା ଜନ୍ମିତ ଗୀତାଙ୍କ କ୍ଷେତ୍ରରେ ଆମେରିକା ନାଗରିକତ୍ୱ ବାଧକ ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ୨୦୦୪ରେ ଆର୍‌ବିଆଇର ମୌଦ୍ରିକ କମିଟିରେ ନିଯୁକ୍ତ ପ୍ରଥମ ମହିଳା ଭାବେ ଡ. ପମି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନ୍ୟତମ ପସନ୍ଦ ରହିଛନ୍ତି।

ମାଇକ୍ରୋଇକୋନୋମିକ୍ସର ଅଧ୍ୟାପିକା ଭାବେ ଖ୍ୟାତ ପମି ସମ୍ପ୍ରତି ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ନିର୍ଦ୍ଦେଶକ ତଥା ରିସର୍ଚ୍ଚ କାଉନ୍‌ସିଲ୍‌ର ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଅଛନ୍ତି। ଏହାବ୍ୟତୀତ ଅନ୍ୟତମ ପ୍ରମୁଖ ଦାବିଦାର ଭାବେ ଭାରତର ପ୍ରମୁଖ ଅର୍ଥଶାସ୍ତ୍ରୀ ପୁନମ୍ ଗୁପ୍ତା ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ୍ ପଲିସିରେ ଆର୍‌ବିଆର ଚେୟାର୍ ପ୍ରଫେସର୍ ରହିଛନ୍ତି। ନିକଟରେ ସେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁନର୍ଗଠିତ ଆର୍ଥିକ ପରାମର୍ଶଦାତା କମିଟିରେ ସଦସ୍ୟା ଭାବେ ନିଯୁକ୍ତ ହୋଇଛନ୍ତି। ସେ ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚରେ ପଦଭାର ସମ୍ଭାଳିବା କ୍ଷେତ୍ରରେ ପ୍ରଥମ ମହିଳା ଭାବେ ସୁଖ୍ୟାତ ରହିଛନ୍ତି।