କରୋନାକୁ ନେଇ ଦେଶବାସୀଙ୍କୁ ସଚେତନ କରାଇଲେ ୩ ବରିଷ୍ଠ ଡାକ୍ତର

ଟିକା ରୋଗ ଦୂରେଇବ, ସଂକ୍ରମଣ ନୁହେଁ

ନୂଆଦିଲ୍ଲୀ, ଏଜେନ୍ସି: ଦେଶରେ କରୋନାର ପ୍ରକୋପ ଲାଗି ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଏପରି ସଂକଟ ସ୍ଥିତିରେ ଦେଶବାସୀଙ୍କୁ କରୋନା ଟିପ୍ସ ଦେଇଛନ୍ତି ଦେଶର ୩ ବରିଷ୍ଠ ଡାକ୍ତର । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ନାରାୟଣ ହେଲଥର ଅଧ୍ୟକ୍ଷ ଡାକ୍ତର ଦେବୀ ସେଟ୍ଟୀ ଓ ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହନ କରୋନାକୁ ନେଇ ଅଯଥା ବ୍ୟତିବ୍ୟସ୍ତ ନହେବା ଲାଗି ପରାମର୍ଶ ଦେଇଛନ୍ତ। ରେମଡେସିବିର ‘ରାମବାଣ’ ନୁହେଁ, ଏହା କେବଳ ଭାଇରଲ ଲୋଡ୍ କମ୍ କରେ ବୋଲି । କରୋନାର ଲକ୍ଷଣ ଥଣ୍ଡା, କଫ, ବାନ୍ତି ଥିଲେ ତୁରନ୍ତ କୋଭିଡ୍ ଟେଷ୍ଟ କରାଇ ନେବା ଉଚିତ୍। ସଂକ୍ରମିତ ଚିହ୍ନଟ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଘରେ ଚିକିତ୍ସିତ ହୁଅନ୍ତୁ । ମାସ୍କ ପିନ୍ଧିବା ସହ ପ୍ରତି ୬ ଘଣ୍ଟାରେ ଏକ୍ସିଜେନ୍ ସ୍ତର ଯାଞ୍ଚ କରାଇବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଦେବୀ ସେଟ୍ଟୀ । ଶରୀରରେ ଅକ୍ସିଜେନ୍ ସ୍ତର ୯୪ ଉପରେ ଥିଲେ କୌଣସି ସମସ୍ୟା ନାହିଁ । ଯଦି ଅକ୍ସିଜେନ୍ ସ୍ତର ୯୪ ତଳକୁ ଖସୁଛି ତେବେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ । ବହୁତ୍ କମ ଲୋକଙ୍କୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ । ରେମଡେସିବିର ପ୍ରୟୋଗ ଲାଗି ଏକ ପ୍ରୋଟୋକଲ୍ ରହିଛି । ଯିଏ କେହି ବି କରୋନା ସଂକ୍ରମିତ ହେଲେ ତାଙ୍କୁ ରେମଡେସିବିର ଆବଶ୍ୟକ ନାହିଁ । ଡାକ୍ତର ଟେଷ୍ଟ ରିପୋର୍ଟ, ଲକ୍ଷଣ, ବହୁବିଧ ରୋଗରେ ଆକ୍ରାନ୍ତ ଦେଖିଲା ପରେ ରେମଡେସିବିର ଦେବେ । ରେମଡେସିବିର ‘ରାମବାଣ’ ନୁହେଁ, ଏହା କେବଳ ଭାଇରଲ ଲୋଡ୍ କମ୍ କରେ ।

ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତ ଯେ, ୮୫ ପ୍ରତିଶତ କୋଭିଡ୍ ଆକ୍ରାନ୍ତ କୌଣସି ସ୍ୱତନ୍ତ୍ର ଚିକିତ୍ସା ବିନା ଠିକ୍ ହୋଇଯାଆନ୍ତି । ସେମାନଙ୍କ ଠାରେ ପ୍ରାୟତଃ ୫ରୁ ୭ ଦିନ ସାଧାରଣ ଥଣ୍ଡା, ତଣ୍ଟି ଦରଜ ସମସ୍ୟା ଥାଏ । ସେମାନେ ସାଧାରଣ ଚିକିତ୍ସାରେ ଠିକ୍ ହୋଇଯାଆନ୍ତି । ମାତ୍ର ୧୫ ପ୍ରତିଶତଙ୍କୁ ଚିକିତ୍ସା ସେବା ଆବଶ୍ୟକ । ସମସ୍ତଙ୍କୁ ଅକ୍ସିଜେନ୍ ଓ ରେମଡେସିବିରର ଆବଶ୍ୟକତା ନାହିଁ ।