କିଭରେ ଋଷର ମିସାଇଲ ମାଡ, ୩ ମୃତ ୬ ଆହତ

କିଭ,ଏଜେନ୍ସି: ପୁଣି ଆକ୍ରମଣକୁ ଜୋରଦାର କରିଛି ଋଷ । ବୁଧବାର ପୁଣି ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ଋଷ ସେନାର ମିସାଇଲ ମାଡ଼ କରିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ମିସାଇଲ ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ନେଇ କହିଛନ୍ତି କିଭ ମେୟର । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଲୋକମାନଙ୍କୁ ସହର ଛାଡି ଏୟାର ରେଡ ଆଶ୍ରୟସ୍ଥଳୀରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ମଧ୍ୟ ଋଷ ସେନା କିଭ୍‌ର କିଛି ସ୍ଥାନରେ ମିସାଇଲ ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ ।

ୟୁକ୍ରେନର ପ୍ରଥମ ଡେପୁଟି ବୈଦେଶିକ ମନ୍ତ୍ରୀ ଇମିନେ ଡଝେପାର ଟ୍ୱିଟ କରି କହିଛନ୍ତି,” ୟୁକ୍ରେନର କିଭ ସମେତ ଅନେକ ସହରରେ ଋଷସେନା ମିସାଇଲ ମାଡ କରିଛନ୍ତି । ଏହି ମିସାଇଲ ମାଡରେ ଅନେକ ପ୍ରତିଷ୍ଠାନ ଧ୍ବଂସ ହୋଇଯାଇଛି । ଫଳରେ ସହରରେ ବିଜୁଳି ସମସ୍ୟା ଦେଖାଯାଇଛି । ସହରର ଅନେକ ଲୋକ ଅନ୍ଧାରରେ ରହିଛନ୍ତି ।” ସୂଚନାଅନୁସାରେ, ବିଜୁଳି ଯୋଗାଣ ବନ୍ଦ ହୋଇଥିବା ବେଳେ କିଛି ସାଧାରଣ ଲୋକଙ୍କ ଘରେ ନିଆଁ ମଧ୍ୟ ଲାଗି ଯାଇଛି । ପୂର୍ବରୁ ମଧ୍ୟ ରୁଷ ସେନା କିଭ୍‌ର କିଛି ସ୍ଥାନରେ ମିସାଇଲ ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ ।

ଏହା ପୂର୍ବରୁ ଅକ୍ଟୋବର ୧୦ ତାରିଖରେ ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷ ମିସାଇଲ ମାଡ କରିଥିଲା । ବିଭିନ୍ନ ସହରରେ ଥିବା ସାମରିକ ଓ ସାଧାରଣ ଜନବସତିରେ ପ୍ରାୟ ୭୫ଟି ମିସାଇଲ ଓ ରକେଟ ମାଡ କରିଥିଲା ଋଷ ସେନା । ଏଥିରେ ବହୁ ସାଧାରଣ ୟୁକ୍ରେନ୍‌ ନାଗରିକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଉପମୁଖ୍ୟ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ଏହି ସୂଚନା ଦେଇଥିଲେ ।