ବଲିଉଡ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ମୁମ୍ବାଇ,ଏଜେନ୍ସି: ପରଲୋକରେ ବଲିଉଡର ଭେଟେରାନ ଅଭିନେତା ବିକ୍ରମ ଗୋଖଲେ । ବୁଧବାର ରାତିରେ ପୁଣେ ସ୍ଥିତ ଦୀନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୭୭ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଭିନେତା ଗୋଖଲେ ଅନେକ ରୋଗରେ ପୀଡିତ ଥିଲେ ଏବଂ ଦୀନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ଅପରାହ୍ନରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହାର କିଛି ସମୟ ପରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ବିକ୍ରମ ଗୋଖଲେ ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି । ୧୯୭୧ ମସିହାରେ ମାତ୍ର ୨୬ ବର୍ଷ ବୟସରେ ଗୋଖଲେ ଅମିତାଭ ବଚ୍ଚନଙ୍କ ପରୱାନା ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ୧୯୯୦ରେ ଅମିତା ବଚ୍ଚନଙ୍କ ସହ ଅଗ୍ନିପଥରେ ଅଭିନୟ କରିଥିଲେ । ୧୯୯୯ ମସିହାରେ ସଞ୍ଜୟ ଲୀଳା ଭନସାଲୀଙ୍କ ଫିଲ୍ମ ହମ୍ ଦିଲ୍ ଦେ ଚୁକେ ସନମ୍‌ରେ ଐଶ୍ବର୍ଯ୍ୟା ରାୟଙ୍କ ବାପା ଭୂମିକାରେ ନଜର ଆସିଥିଲେ । ଏହାବ୍ୟତୀତ ସେ ଭୁଲ ଭୁଲେୟା, ମିଶନ ମଙ୍ଗଲ, ଦିଲ୍‌ ସେ, ହିଚକୀ, ଦେ ଦନା ଦନ, କମଲ ହାସନଙ୍କ ଫିଲ୍ମ ହେ ରାମ୍ ଇତ୍ୟାଦିରେ ନିଖୁଣ ଅଭିନୟ କରି ଦର୍ଶନକଙ୍କ ମନ ଜିଣିଥିଲେ । ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ସେ ଅନେକ ମରାଠୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ମରାଠୀ ଫିଲ୍ମ ‘ଅନୁମତି’ ପାଇଁ ୨୦୧୦ ମସିହାରେ ଶ୍ରେଷ୍ଠ କଳାକାର ଭାବେ ବିକ୍ରମ ଗୋଖଲେ ଜାତୀୟ ପୁରସ୍କାର ପାଇଥିଲେ ।