ପୁରୀ,ଏନ୍ଏନ୍ଏସ୍: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ଦୁଇ ବର୍ଷ ପରେ ପୁଣି ବଡ଼ଦାଣ୍ଡରେ ଭକ୍ତ-ଭଗବାନ ଏକାଠି ହୋଇଛନ୍ତି। ଆଜି ଭକ୍ତ-ଶ୍ରଦ୍ଧାଳୁଙ୍କ ଗହଳରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା। ସମୟ ପୂର୍ବରୁ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ନୀତିକାନ୍ତି। ସଂଧ୍ୟ ସାଢ଼େ ଛଅଟା ସୁଦ୍ଧା ଶ୍ରୀକ୍ଷେତ୍ରର ପବିତ୍ର ଶରଧାବାଲିରେ ତିନି ରଥ ପହଞ୍ଚି ଯାଇଛି। ପ୍ରଥମେ ତାଳଧ୍ବଜ ଓ ପରେ ଦର୍ପଦଳନ ଏବଂ ଶେଷରେ କାଳିଆ ସାଆନ୍ତ ନନ୍ଦିଘୋଷ ଚଢ଼ି ଶରଧାବାଲିରେ ପହଞ୍ଚିଛନ୍ତି।
ଲକ୍ଷଲକ୍ଷ ଭକ୍ତ-ଶ୍ରଦ୍ଧାଳୁଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବହୁ ମାନ୍ୟଗଣ୍ୟବ୍ୟକ୍ତି ରଥ ଟାଣିଛନ୍ତି। ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ରୁଣ୍ଡ ହୋଇଥିବା ଲକ୍ଷଲକ୍ଷ ଭକ୍ତ ରଥଗୁଡ଼ିକୁ ଅତି ଶ୍ରଦ୍ଧାର ସହିତ ସିଂହଦ୍ବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ପ୍ରବଳ ଆଗ୍ରହ ଓ ଉତ୍ସାହର ସହ ଟାଣି ନେଇଥିଲେ।
ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ବନି ପୁରୀ ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ସେହିପରି ତୁରୀ-ଭେରୀ, ଘଣ୍ଟ-ଘଣ୍ଟା ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା। ପୁଣି ଶ୍ରଦ୍ଧାଳୁଙ୍କ କୀର୍ତ୍ତନ ଓ ନର୍ତ୍ତନ ପରିବେଶକୁ ଭାବବିହ୍ବଳ କରିଥିଲା।