ଫୁଲବାଣୀରେ ଘୋଷଯାତ୍ରା: ହଜାର ହଜାର ଭକ୍ତଙ୍କ ସମାଗମ, ସାମିଲ ହେଲେ ନୟାଗଡ଼ ରାଣୀ ତଥା କନ୍ଧମାଳ ପୂର୍ବତନ ସାଂସଦ

ଫୁଲବାଣୀ,ଏନ୍‌ଏନ୍‌ଏସ୍‌: ଆଜି ଫୁଳବାଣୀରେ ପବିତ୍ର ରଥଯାତ୍ରା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଠାକୁରଙ୍କ ଦର୍ଶନ କରିବା ସହିତ ରଥ ଟାଣିବା ପାଇଁ ଫୁଲବାଣୀ ସମେତ ଆଖ ପାଖର ହଜାରହଜାର ଭକ୍ତଙ୍କ ସାମଗମ ଦେଖାଯାଇଛି। ପ୍ରବଳ ଭିଡ଼କୁ ନିୟନ୍ତ୍ରର ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସକାଳୁ ସକାଳୁ ମଙ୍ଗଳ ଆଳତି ସହ ମଇଲମ, ରୋଷଘର ହୋମ ଓ ପରେ ସୂର୍ଯ୍ୟଦେବ ପୂଜା, ଅବକାଶ ଓ ଦ୍ୱାରପାଳ ପୂଜା ଅନୁଷ୍ଠିତ ପରେ ପରେ ୩ ଠାକୁରଙ୍କୁ ପହଣ୍ଡି ବିଜେି କରାଯାଇ ରଥକୁ ଅଣାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଛେରା ପହଁରା କରିଥିଲେ।

ଦିନ ଦୁଇଟା ବେଳେ ରଥା ଟଣା ଆରମ୍ଭ ହୋଇଥିବା ବେଳେ ରାତ୍ରରେ ମାଦିକୁନ୍ଦାଛକ ସ୍ଥିତ ମାଉସି ମାଁ ମନ୍ଦିରରେ ପହଞ୍ଚିଥିଲା ରଥ। ଏହି ଅବସରରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍ ମଧ୍ୟ ସାମିଲ୍ ହୋଇ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ରଥ ସମ୍ମୁଖରେ ଅନୁଷ୍ଠିତ ହୋଇଥିବା ଓଡ଼ିଶୀ ନୃତ୍ୟକୁ ଭକ୍ତଙ୍କ ଗହଲରେ ସାମିଲ୍ ହୋଇ ଉପଭୋଗ କରିଥିଲେ। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ମଧ୍ୟ ବିଭିନ୍ନ ମହଲରେ ପସନ୍ଦ କରାଯାଇଛି।

ସେହିଭଳି କାର୍ଯ୍ୟକ୍ରମରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ୍ ଅଗ୍ରୱାଲା, ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ନୟାଗଡ଼ ରାଣୀ ତଥା ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଓ ପୌରପରିଷଦ ଅଧ୍ୟକ୍ଷ ସ୍ମିତାରାଣି ମହାନ୍ତି, ଫୁଲବାଣୀ ଆଇଟିଡ଼ିଏର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ, ପୌରପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଅତିରିକ୍ତ ଏସ୍‌ପି ବିପିନ ବିହାରୀ ବେହେରା ଓ ଅନ୍ୟମାନେ ସାମିଲ୍ ହୋଇଥିଲେ। ସଦର ଏସ୍‌ଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ନଟରାଜ କଳାମନ୍ଦିରର କଳାକାରମାନେ ରଥ ସମ୍ମୁଖରେ ସୁନ୍ଦର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।