କେତେକ ରାଜ୍ୟରେ ତୃତୀୟ ଲହର ଆଙ୍ଗୁଆ ସଙ୍କେତ ଦେଲାଣି

  • ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟରେ ମହାମାରୀର ୩ୟ ଲହର ଆସିବାର ଆଗୁଆ ସଂକେତ ଦେଖାଗଲାଣି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦର (ଆଇସିଏମଆର) ସଂକ୍ରାମକ ରୋଗ ବିଭାଗର ମୁଖ୍ୟ ଡଃ ସମିରନ ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ, ଆମେ ଭାବିବା ଉଚିତ ନୁହେଁ ଯେ ୩ୟ ଲହର ଆସିବାକୁ ଆହୁରି ଦୁଇତିନି ମାସ ଅଛି। କେତେକ ରାଜ୍ୟରେ ୩ୟ ଲହର ଆସିବାର ଆଗୁଆ ଲକ୍ଷଣ ଦେଖାଗଲାଣି।  ଆଗକୁ ପାର୍ବଣ ଋତୁ ଥିବାବେଳେ ଲୋକମାନେ ଯଦି କରୋନା କଟକଣା ପାଳନ ନକରନ୍ତି ଓ ବହୁ ସଂଖ୍ୟାରେ ଗହଳି କରନ୍ତି, ତେବେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ଚାଲିବ।
  • ତେବେ ଡ. ପଣ୍ଡା କହିଛନ୍ତି, ୨ୟ ଲହର ତୁଳନାରେ ୩ୟ ଲହର ସେତେଟା ଗୁରୁତର ହେବ ନାହିଁ। କିନ୍ତୁ ଯେଉଁ ରାଜ୍ୟମାନେ ୨ୟ ଲହରରେ ବିଶେଷ ପ୍ରଭାବିତ ହୋଇନଥିଲେ, ସେମାନେ ସତର୍କ ରହିବା ଉଚିତ ଓ ତରବର ହୋଇ କଟକଣା ହଟାଇବା ଉଚିତ ନୁହେଁ। ଶିଶୁମାନଙ୍କ ଟିକାକରଣ ଉପରେ ସେ କହିଛନ୍ତି ଯେ, ତରବରିଆଭାବେ ଶିଶୁମାନଙ୍କ ଟିକାକରଣ କରାଯିବା ଉଚିତ ନୁହେଁ। ପ୍ରଥମେ ସ୍କୁଲର ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ଉଚିତ।