ଲୋକଙ୍କୁ ଦେଖି ଚୋର ଚମ୍ପଟ, ଚୋରି ସାମଗ୍ରୀ ଉଦ୍ଧାର କଲେ ଗାଁ ଲୋକେ

ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁ ସ୍କୁଲରୁ ମଙ୍ଗଳବାର ରାତିରେ ଚୋରି ହେଉଥିବା ସୂଚନା ମିଳିବାରୁ ଗାଁ ଲୋକେ ଏକତ୍ରିତ ହେଇଥିଲେ। ଲୋକମାନେ ସ୍କୁଲ ଘରକୁ ଆସୁଥିବାର ଦେଖି ଚୋର ଚୋରି ସାମଗ୍ରୀକୁ ଛାଡି ଚମ୍ପଟ ମାରିଥିବା ଜଣାପଡ଼ିଛି। ଲୋକଙ୍କ କହିବା ଅନୁଯାୟୀ ମଙ୍ଗଳବାର ରାତି ୧୨ଟା ସମୟରେ ଫଟାମୁଣ୍ଡା ହାଇସ୍କୁଲ ଛାତ ଉପରେ ଲାଇଟ ଜଳୁଥିବାର ଦେଖି ନିକଟସ୍ଥ କ୍ଲବ୍ ଘରେ ଥିବା କିଛି ଯୁବକ ସନ୍ଦେହ କରିଥିଲେ। ପରେ ସେମାନେ ଏ ସମ୍ପର୍କରେ ଗାଁର ଅନ୍ୟ ଲୋକମାନଙ୍କୁ ଖବର ଦେଇଥିଲେ। ତେବେ ଲୋକେ ସ୍କୁଲ ଆଡକୁ ଆସୁଥିବାର ଦେଖି ଚୋରି କରୁଥିବା ୭-୮ ଜଣ ଲୋକ ଛାତ ଉପରୁ ଡେଇଁ ଚମ୍ପଟ ମାରିଛନ୍ତି। ଏହି ପରିପ୍ରେକ୍ଷୀରେ ହାଇସ୍କୁଲ ଛାତ ଉପରୁ ୪ ସାର କବାଟ, ୧୭ ଟି ପଙ୍ଖା ମିଳିଛି। ଏହାକୁ ସ୍ଥାନୀୟ କ୍ଲବରେ ରଖାଯାଇଛି। ପରେ ଏନେଇ ଦେଓଗାଁ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେଲା ଦେଓଗାଁ ଅଞ୍ଚଳରେ ଚୋରମାନଙ୍କ ପାର୍ଦୁଭାବ ବଢ଼ିଯାଇଛି। କେତେବେଳେ ଛେଳି ଚୋରି ହେଉଛି ତ’ କେତେବେଳେ ଗାଡ଼ି ଚୋରି ହେଉଛି। କରୋନା ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ଥିବାରୁ ଏହା ଉପରେ ଚୋରମାନେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ଏହା ପୂର୍ବରୁ ବଗଡ଼ା ହାଇସ୍କୁଲରେ ଚାଉଳ ଚୋରି ପରେ ମହଳାଇ ପ୍ରାଥମିକ ବିଦ୍ୟାଳୟରରୁ କମ୍ପ୍ୟୁଟର ଚୋରି ହୋଇଥିବା ଜଣାପଡ଼ିଛି।